ନୂଆଦିଲ୍ଲୀ: ୪୫ ଦିନ ଜାରି ପ୍ରୟାଗରାଜ ମହାକୁମ୍ଭର ଆଜି ହେଉଛି ଶେଷ ଦିନ । ମହାଶିବରାତ୍ରିର ଶୁଭ ଅବସରରେ ସମଗ୍ର ଦେଶରୁ ଆସିଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ ପକାଇଛନ୍ତି । ମହାକୁମ୍ଭ ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିଲା ଏବଂ ଫେବୃଆରୀ ୨୬ରେ ଅର୍ଥାତ ଆଜି ସମାପନ ହେଉଛି । ଏହା ମହାକୁମ୍ଭ ପୂରା ବିଶ୍ୱର ଧ୍ୟାନ ଆକର୍ଷିତ କରୁଛି । ଏହି ବିଶାଳ ମହାକୁମ୍ଭ ମେଳା ୧୪୪ ବର୍ଷରେ ଥରୁଟିଏ ପଡିଥାଏ । ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୬୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭରେ ବୁଡ ପକାଇ ସାରିଛନ୍ତି । ଏହି ମେଳା ବିଦେଶୀ ମିଡିଆର ମଧ୍ୟ ଧ୍ୟାନ ଆକର୍ଷିତ କରିଛି ।
ବିଦେଶୀ ମିଡିଆ ମଧ୍ୟ ମହାକୁମ୍ଭ ମେଳାର ବ୍ୟାପକତା ଓ ଧାର୍ମିକ ଭବ୍ୟତତାକୁ ପ୍ରମୁଖତାର ସହ ପ୍ରସାରଣ କରିଛନ୍ତି । ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁଯାୟୀ, ମହାକୁମ୍ଭ ମେଳାରେ ଆମେରିକାର ମୋଟ୍ ଜନସଂଖ୍ୟାରୁ ଅଧିକ ଶ୍ରଦ୍ଧାଳୁ ଆସିଛନ୍ତି ଏବଂ ଏହି ଛଅ ସପ୍ତାହ ଅବଧିରେ ଆନୁମାନିକ ସଂଖ୍ୟା ପ୍ରାୟ ୫୦ କୋଟି ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଅନୁମାନ କରାଯାଉଥିଲା । ହଫିଙ୍ଗଟନ ପୋଷ୍ଟ ମହାକୁମ୍ଭକୁ ଦୁନିଆର ସବୁଠୁ ବଡ ତୀର୍ଥମେଳା ଦର୍ଶାଇ ଏହାର ଆୟୋଜନ ସଂପର୍କିତ ସମସ୍ତ ତଥ୍ୟକୁ ବିସ୍ତୃତ ସହ ପ୍ରକାଶ କରିଛି ।
ରୟଟର୍ସ ଅନୁଯାୟୀ, ଏଥର ମହାକୁମ୍ଭକୁ ଡିଜିଟାଲ୍ ମହାକୁମ୍ଭ ଭାବେ ପ୍ରସ୍ତୁତ କରାଯାଇଥିଲା । ଏଥିରେ ସରକାର ସୁରକ୍ଷା ଓ ସମନ୍ୱୟରେ ସୁଧାର ପାଇଁ ଉନ୍ନତ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିଛନ୍ତି । ସିଏନଏନ ଏହି ଆୟୋଜନରେ ସାମିଲ ନାଗା ସାଧୁଙ୍କ ଉପରେ ବିସ୍ତୃତ ରିପୋର୍ଟ ପ୍ରକାଶ କରିଛି ।
ନୁୟର୍କ ଟାଇମ୍ସ ନିଜର ସାମାଜିକ ଗଣାମଧ୍ୟମ ପୋଷ୍ଟରେ ମହାକୁମ୍ଭକୁ ଏକ ପବିତ୍ର ଆୟୋଜନ ଦର୍ଶାଇଛି । ଏହା ଶ୍ରଦ୍ଧାଳୁ, ପର୍ଯ୍ୟଟକ, ରାଜନେତା ଓ ସେଲିବ୍ରିଟିଙ୍କୁ ଆକର୍ଷିତ କରିଛି । ଏବେ ଆୟୋଜନ ସମାପ୍ତ ପରେ ଆୟୋଜକଙ୍କ ପାଇଁ ବିଶାଳ କ୍ଷେତ୍ରରେ ସଫେଇ ଓ ସ୍ୱଚ୍ଛତା ଓ ଶ୍ରଦ୍ଧାଳୁ ଫେରିଯିବା ପରେ କୁମ୍ଭ ମେଳା ସ୍ଥଳକୁ ବ୍ୟବସ୍ଥିତ କରିବା ଏକ ବଡ ଆହ୍ୱାନ ପାଲଟିବ ।