ଆନ୍ଧ୍ରପ୍ରଦେଶ ସରକାର ଏହାର ନୂଆ ବାର୍ ନୀତି ପ୍ରକାଶ କରିଛି, ଯେଉଁଥିରୁ ରାଜ୍ୟର ସବୁ ବିମାନବନ୍ଦର ଗୁଡ଼ିକରେ ଏଣିକି ବାର୍ ଖୋଲିବା ପାଇଁ ଅନୁମତି ଦିଆଯିବ । କେବଳ ଧାମିର୍କ ତୀର୍ଥସ୍ଥଳୀ ତିରୁପତିକୁ ଏଥିରୁ ବାଦ୍ ଦିଆଯାଇଛି । ଜାରି କରାଯାଇଥିବା ଏହି ନୂତନ ବାର ନୀତିର ଲକ୍ଷ୍ୟ ହେଉଛି ବାରଗୁଡ଼ିକର କାର୍ଯ୍ୟକୁ ଆର୍ଥିକ ଭାବରେ ସ୍ଥାୟୀ ଏବଂ ସ୍ୱଚ୍ଛ କରିବା । ଏହି ନୀତି ୧ ସେପ୍ଟେମ୍ବର ୨୦୨୫ ରୁ ୩୧ ଅଗଷ୍ଟ ୨୦୨୮ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ।
ବାର୍ ଖୋଲିବାର ପ୍ରକ୍ରିୟା କ’ଣ ହେବ?
ଏହି ନୀତି ଅନୁଯାୟୀ, ନିୟମଗୁଡ଼ିକୁ ଏବେ ସହଜ କରାଯାଇଛି । ବାର୍ ଖୋଲିବା ପାଇଁ ପୂର୍ବରୁ ଏକ ରେଷ୍ଟୁରାଣ୍ଟ ଥିବା ଆବଶ୍ୟକ ନାହିଁ । କିନ୍ତୁ, ଯଦି ଆପଣ ଏକ ବାର୍ ଖୋଲିବାକୁ ଚାହାଁନ୍ତି, ତେବେ ବିମାନବନ୍ଦର ପରିଚାଳକଙ୍କୁ ଆପଣଙ୍କ ନାମ ସୁପାରିଶ କରିବାକୁ ପଡିବ । ଏହା ପରେ, ବାର୍ ପାଇଁ ସଫଳ ଆବେଦନକାରୀମାନଙ୍କୁ ୧୫ ଦିନ ମଧ୍ୟରେ ସେମାନଙ୍କର ବାର୍ ଆରମ୍ଭ କରିବାକୁ ପଡିବ । ପ୍ରତ୍ୟେକ ବାର୍ ପାଇଁ ଅତି କମରେ ୪ଟି ବୈଧ ଆବେଦନ ରହିବା ଉଚିତ, ଯାହା ଦ୍ଵାରା ଲଟେରୀ (ଡ୍ର) ସଠିକ୍ ଭାବରେ କରାଯାଇପାରିବ ।
ଧାର୍ମିକ ସ୍ଥଳରେ ବାର୍ ଖୋଲାଯିବ ନାହିଁ
ନୀତି ଅନୁଯାୟୀ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB), ସେମାନଙ୍କର ବେଲ୍ଟ ଅଞ୍ଚଳ ଏବଂ ଅଧିସୂଚିତ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକରେ ବାର୍ ଖୋଲିବାକୁ ଅନୁମତି ଦିଆଯିବ, କିନ୍ତୁ ଧାର୍ମିକ ପର୍ଯ୍ୟଟନ ସ୍ଥଳରେ ବାର୍ ଖୋଲିବାକୁ ଅନୁମତି ଦିଆଯିବ ନାହିଁ । ତିରୁପତିରେ ସ୍ୱତନ୍ତ୍ର ନିୟମ ପ୍ରଯୁଜ୍ୟ ହେବ । ଏଠାରେ ବିମାନବନ୍ଦରରେ ବାର୍ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ଏବଂ ସହରର ଅନ୍ୟ ସ୍ଥାନରେ ମଧ୍ୟ ଏ ସମ୍ପର୍କରେ କଠୋର ବ୍ୟବସ୍ଥା ରହିବ ।
ବିଶେଷକରି, ତିରୁପତି ରେଳ ଷ୍ଟେସନରୁ ଅଲିପିରି (RTC ବସ୍ ଷ୍ଟାଣ୍ଡ, ଲୀଲା ମହଲ ସର୍କଲ, ନନ୍ଦୀ ସର୍କଲ, ବିଷ୍ଣୁ ନିବାସମ, ଶ୍ରୀନିବାସମ) ଏବଂ ଲୀଲା ମହଲ-ନନ୍ଦୀ ସର୍କଲ-ଅଲିପିରି-SVRR ହସ୍ପିଟାଲ-SVIMS ରୁଟ୍ ସମ୍ପୂର୍ଣ୍ଣ ଭାବରେ ବାର ମୁକ୍ତ ରହିବ ଯାହା ଦ୍ଵାରା ସହରର ଧାର୍ମିକ ପବିତ୍ରତା ବଜାୟ ରହିବ ।