ନୂଆଦିଲ୍ଲୀ: ଦିଲ୍ଲୀରେ ରାଜନୀତି ପାଣିପାଗ ବେଶ ସରଗରମ ରହିଛି । ଆମ ଆଦମୀ ପାର୍ଟି ସ୍ୱାସ୍ଥ୍ୟ ମନ୍ତ୍ରୀ ଆତିଶୀ ମାର୍ଲେମାଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ଚୟନ କରି ସମସ୍ତ କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ମାତ୍ର ଦଳର ଏହି ନିଷ୍ପତି ଉପରେ ପ୍ରଶ୍ନ ଉଠାଇଛନ୍ତି ଦଳର ରାଜ୍ୟ ସଭା ସାଂସଦ ସ୍ୱାତୀ ମାଲିୱାଲ । ଦିଲ୍ଲୀ ଏବଂ ଦେଶର ସୁରକ୍ଷାକୁ ନେଇ ସେ ବଡ଼ ପ୍ରଶ୍ନ ଉଠାଇଛନ୍ତି ।
ଆପ୍ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ହେବା ନେଇ ବେଶୀ ଖୁସି ନ ଥିବା ଦେଖାଯାଇଛି । ସେ ସୋସିଆଲ ମଡ଼ିଆରେ ଭିଡ଼ିଓ ପୋଷ୍ଟ କରି ଖୁବ ବର୍ଷିଛନ୍ତି । ସେ କହିଛନ୍ତି, “ଆଜି ଦିଲ୍ଲୀ ପାଇଁ ଗୋଟେ ଦୁର୍ଭାଗ୍ୟର ଦିନ, ଆତିଶୀ ମାର୍ଲେନା ପରି ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ”। ଯେଉଁ ଆତିଶୀଙ୍କୁ ଆଜି ଦଳ ମୁଖ୍ୟମନ୍ତ୍ରୀ ପାଇଁ ଘୋଷଣା କରିଛନ୍ତି ତାଙ୍କର ପରିବାର ଗୋଟିଏ ଆତଙ୍କବାଦୀଙ୍କୁ ବଞ୍ଚାଇବାକୁ ସବୁ ପ୍ରକାର ଚେଷ୍ଟା କରୁଥିଲେ ବୋଲି ସେ ସଙ୍ଗୀନ ପ୍ରସଙ୍ଗ ଉଠାଇଛନ୍ତି । ସଂସଦ ଆକ୍ରମଣରେ ଦୋଷୀ ଥିବା ଆତଙ୍କବାଦୀ ଅଫଜଲ ଗୁରୁକୁ ବଞ୍ଚାଇବାକୁ ଆତିଶୀଙ୍କ ପିତା ମାତା ବାରମ୍ବାର ରାଷ୍ଟ୍ରପତିଙ୍କ ନିକଟକୁ ଦୟା ଯାଚିକା ପଠାଇଥିଲେ । କେବଳ ସେତିକି ନୁହେଁ ଅଫଜଲ ଗୁରୁକୁ ରାଜନୈତିକ ଆକ୍ରୋଶ ରଖି ଫସାଇ ଦିଆଯାଇଛି ବୋଲି ସେମାନେ କହିଥିଲେ । ତାଙ୍କର ଝିଅକୁ ମୁଖ୍ୟମନ୍ତ୍ରୀ କରାଯିବାକୁ ନେଇ ଆପ୍ ସାଂସଦ ପ୍ରଶ୍ନ ଉଠାଇଛନ୍ତି ।
ସ୍ୱାତୀ ମାଲିୱାଲ ଆହୁରି କହିଛନ୍ତି ଯେ ଆତିଶୀ କେବଳ ଜଣେ ନାଁକୁ ମାତ୍ର ମୁଖ୍ୟମନ୍ତ୍ରୀ, କିନ୍ତୁ ସେ ମୁଖ୍ୟମନ୍ତ୍ରୀ ହେଲେ ଦେଶ ଏବଂ ଦିଲ୍ଲୀର ସୁରକ୍ଷା ବିପଦରେ ପଡ଼ିପାରେ ବୋଲି ଚିନ୍ତା ପ୍ରକଟ କରିଛନ୍ତି । ଦିଲ୍ଲୀ ବାସିନ୍ଦାଙ୍କୁ ଏବେ ଭଗବାନ ସାହା ବୋଲି ସେ କହିଛନ୍ତି ।
ଏଠାରେ ସୂଚାଇ ଦେବାକୁ ଚାହୁଁଛୁ ଯେ ଅରବିନ୍ଦ କେଜ୍ରିୱାଲ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ସମ୍ଭାବନା ରହିଛି । ତାଙ୍କ ସ୍ଥାନରେ ଦଳ ଆତିଶୀ ମାର୍ଲେନାଙ୍କୁ ମୁଖ୍ୟମନ୍ତ୍ରୀ ଦହ ପାଇଁ ଚ଼ୟନ କରିଛି ।