ନୂଆଦିଲ୍ଲୀ: ଭାରତୀୟ ରେଳ ମନ୍ତ୍ରଣାଳୟ ବନ୍ଦେ ଭାରତ ଟ୍ରେନରେ ଯାତ୍ରା ସମୟରେ ଦହିରୁ ପୋକ ମିଳିବା ଅଭିଯୋଗ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମନ୍ତ୍ରଣାଳୟ ଆଇଆରସିଟିସି ଉପରେ ୧୦ ଲକ୍ଷ ଟଙ୍କା ଓ କ୍ୟାଟରିଂ ସେବା ଦେଉଥିବା କମ୍ପାନି ଉପରେ ୫୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି ।
ପାଟନାରୁ ଟାଟାନଗର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ସୋସିଆଲ ମିଡିଆରେ ଭିଡିଓ ସେୟାର କରିଥିଲେ । ଏଥିରେ ଦେଖିବାକୁ ମିଳିଥିଲା ଯେ, ରାତ୍ର ଭୋଜନରେ ଦିଆଯାଇଥିବା ଦହିରେ ପୋକ ପଡିଛି । ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ଅଭିଯୋଗ ମିଳିବା ମାତ୍ରେ ରେଲୱେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ୟାଟରିଂ କମ୍ପାନିର କଣ୍ଟ୍ରାକ୍ଟ ରଦ୍ଦ କରିଛି । ଏହା ସହିତ ୫୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି । ଏହା ସହିତ ଆଇଆରସିଟିସି ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି ।
ରେଳ ମନ୍ତ୍ରଣାଳୟ କହିଛି, ୨୦୨୬ ମାର୍ଚ୍ଚ ୧୫ରେ ଟ୍ରେନ ନମ୍ବର ୨୧୮୯୬ ପାଟନା-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସରେ ଖାଦ୍ୟର ଗୁଣବତ୍ତାକୁ ନେଇ ମିଳିଥିବା ଅଭିଯୋଗକୁ ଗମ୍ଭୀରତାର ସହ ନିଆଯାଇଛି । କାର୍ଯ୍ୟାନୁଷ୍ଠାନ ଆଧାରରେ ଆଇଆରସିଟିସି ଉପରେ ୧୦ ଲକ୍ଷ ଟଙ୍କା ଓ କ୍ୟାଟରର ଉପରେ ୫୦ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଏହା ସହିତ କଣ୍ଟ୍ରାକ୍ଟ ସମାପ୍ତ କରିବାକୁ ଆଦେଶ ଦିଆଯାଇଛି । ଯାତ୍ରୀଙ୍କ ସୁରକ୍ଷା ଓ ଗୁଣବତ୍ତା ଆମର ସର୍ବୋଚ୍ଚ ପ୍ରାଥମିକତା ।
ଭାରତୀୟ ରେଲୱେର ମୁଖପାତ୍ର ଏହି ମାମଲାକୁ ହାଲୁକାରେ ନିଆଯିବ ନାହିଁ ବୋଲି କହିଛନ୍ତି । ସେବାର ଗୁଣବତ୍ତା କାଏମ ରଖିବା ଆମର ପ୍ରାଥମିକତା । ବିଶେଷ କରି ବନ୍ଦେ ଭାରତ ପରି ପ୍ରିମିୟମ ଟ୍ରେନରେ ଉଚ୍ଚ ଗୁଣବତ୍ତା ସର୍ଭିସ ଓ ସ୍ୱଚ୍ଛତା ରଖିବା ଉପରେ କଡା ନିୟମ ଲାଗୁ ହୋଇଛି । କାରଣ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ଉନ୍ନତ ସୁବିଧା ପାଇଁ ଆଶା ରଖିଥାନ୍ତି ।