ନୂଆଦିଲ୍ଲୀ: ଭାରତୀୟ ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ଶ୍ରୀଗଙ୍ଗାନଗରର ଘଡସାନାର ଗାଁ ୨୨ ଏମଡିରେ ସୀମାବର୍ତ୍ତୀ ଅଞ୍ଚଳ ଗସ୍ତ କରିଛନ୍ତି । ଏହି ସମୟରେ ସେ ବିଏସଏଫର ଅଧିକାରୀଙ୍କୁ ଭେଟିବା ସହ ଆତଙ୍କବାଦ ବିରୋଧରେ ଭାରତର ପ୍ରସ୍ତୁତିର ସମୀକ୍ଷା କରିଥିଲେ ।
ଏହି ସମୟରେ ଭାରତୀୟ ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ କଡା ଶବ୍ଦରେ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯଦି ପଡୋଶୀ ଦେଶ ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ ନ କରେ ତେବେ ମାନଚ୍ଚିତ୍ରରୁ ପାକିସ୍ତାନ ହଟିଯିବ । ଏଥର ଭାରତୀୟ ସେନା ପୂର୍ବାପେକ୍ଷା ସଂଯମ ଦେଖାଇବେ ନାହିଁ । ଯଦି ପାକିସ୍ତାନ ଆତଙ୍କବାଦ ପ୍ରଚାର କରିବା ବନ୍ଦ ନ କରିଛି ତେବେ ଅପରେସନ ସିନ୍ଦୂରର ଦ୍ୱିତୀୟ ପର୍ଯ୍ୟାୟ ଶୀଘ୍ର ଆରମ୍ଭ ହୋଇପାରେ ।
ଜେନେରାଲ ଦ୍ୱିବେଦୀ କହିଛନ୍ତି, ଅପରେସନ ସିନ୍ଦୂର ୧.୦ ସମୟରେ ଭାରତୀୟ ସେନା ପାକିସ୍ତାନର ୯ ଆତଙ୍କୀ ଶିବିର ନଷ୍ଟ କରିଥିଲେ । ଏଥିରେ ପ୍ରାୟ ୧୦୦ ପାକିସ୍ତାନୀ ସେନାର ଯବାନ ଏବଂ ଅନେକ ଆତଙ୍କୀ ନିପାତ ହୋଇଥିଲେ । ଅପରେସନ ସିନ୍ଦୂରର ସଫଳତାର ଶ୍ରେୟ ସେନା, ଯବାନ ଓ ସ୍ଥାନୀୟ ଲୋକଙ୍କର । ଏହି ଅପରେସନର ନାଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଖିଥିଲେ ଏବଂ ଏହାକୁ ମହିଳାଙ୍କୁ ସମର୍ପିତ କରାଯାଇଥିଲା ।
ଅନୁପଗଡ଼ରେ ଏକ ସେନା ପୋଷ୍ଟ ପରିଦର୍ଶନ କରି ଜେନେରାଲ ଦ୍ୱିବେଦୀ କହିଛନ୍ତି, ଆମେ ଅପରେସନ ସିନ୍ଦୁର ୧.୦ ରେ ଯେପରି ସଂଯମତା ଦେଖାଇଥିଲୁ, ଏଥର ଆମେ ସେହିପରି ସଂଯମତା ଦେଖାଇବୁ ନାହିଁ। ଆମେ ଏହାକୁ ଏପରି ଭାବରେ କରିବୁ ଯେ ପାକିସ୍ତାନକୁ ଭାବିବାକୁ ପଡିବ ଯେ ସେ ତାର ସ୍ଥିତି ବଜାୟ ରଖିବାକୁ ଚାହୁଁଛି କି ନାହିଁ। ଯଦି ସେ ତାର ସ୍ଥିତି ବଜାୟ ରଖିବାକୁ ଚାହୁଁଛି, ତେବେ ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦକୁ ବନ୍ଦ କରିବାକୁ ପଡିବ।
Also read: ଆମେ ୧୨ ବିମାନ ନଷ୍ଟ କଲୁ, ସେମାନଙ୍କର ମନୋହର କାହାଣୀ ଚାଲିଥାଉ; ପାକକୁ ବାୟୁସେନା ମୁଖ୍ୟଙ୍କ ଉପହାସ