ନୂଆଦିଲ୍ଲୀ: ଦେଶର ଆର୍ଥିକ ଉଦାରୀକରଣର ଜନକ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଆଜି ପଞ୍ଚଭୂତରେ ବିଲୀନ ହୋଇ ଯାଇଛନ୍ତି । ଭାରତୀୟ ଅର୍ଥବ୍ୟବସ୍ଥାକୁ ଗତି ଦେବା ଓ ବଞ୍ଚିତ ବ ର୍ଗ ପାଇଁ ଶିକ୍ଷାର ଅଧିକାର, ମନରେଗା ପରି ଯୋଜନା ପାଇଁ ତାଙ୍କୁ ସର୍ବଦା ମନେ ରଖାଯିବ । ମନମୋହନ ଆମ ଗହଣରେ ଆଉ ନାହାନ୍ତି ସତ ମାତ୍ର ତାଙ୍କର ସ୍ମୃତିକୁ ଉଜ୍ଜିବୀତ ରଖିବା ପାଇଁ ଏକ ସ୍ମାରକର ଦାବି ଉଠିଛି । କଂଗ୍ରେସ ଏହି ବିଷୟରେ ଗୃହ ମନ୍ତ୍ରୀଙ୍କୁ ଶୁକ୍ରବାର ଚିଠି ଲେଖି ଦାବି କରିଥିଲା ଯେ, ଏହି ଅର୍ଥନୀତିଜ୍ଞ ଅନ୍ତିମ ସଂସ୍କାର ସେଠାରେ କରାଯାଉ ଯେଉଁଠି ତାଙ୍କର ସ୍ମାରକ ନିର୍ମାଣ ହୋଇ ପାରିବ । ଏହା ଉପରେ ଗୃହ ମନ୍ତ୍ରଣାଳୟ ଉତ୍ତର ଦେଇ କହିଛି ଯେ, ମନମୋହନ ସିଂଙ୍କୁ ତାଙ୍କର ପ୍ରତିଷ୍ଠା ଅନୁରୂପ ସ୍ମାରକ ନିଶ୍ଚୟ ନିର୍ମାଣ କରାଯିବ ଏବଂ ଏଥିପାଇଁ ସରକାର ପ୍ରତିବଦ୍ଧ ।
ସୂତ୍ର ଅନୁଯାୟୀ, ମନମୋହନ ସିଂଙ୍କ ସ୍ମାରକ ରାଜଘାଟ ନିକଟ ସ୍ଥିତ ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ନିକଟରେ ନିର୍ମାଣ କରାଯିବ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମାରକ ମଧ୍ୟ ଏଠାରେ ନିର୍ମାଣ ହୋଇଥିଲା । ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ପାଇଁ ୟୁପିଏ ସରକାର ୨୦୧୩ରେ ଏକ ପ୍ରସ୍ତାବ ଗୃହୀତ କରାଇଥିଲା । ଏହାରି ଆଧାରରେ ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜେଲ୍ ସିଂଙ୍କ ସମାଧି ପାଇଁ ଏକତା ସ୍ଥଳ ନିକଟରେ ଜାଗା ଦିଆଯାଇଥିଲା ।
ଉକ୍ତ ପ୍ରସ୍ତାବ ଅନୁସାରେ, ଏବେ କୌଣସି ଭିଭିଆଇପିଙ୍କ ରାଜଘାଟ ନିକଟରେ ସମାଧି ନିର୍ମାଣ ହୋଇ ପାରିବ ନାହିଁ ।ସ୍ଥାନର ଅଭାବ କାରଣରୁ ୟୁପିଏ ସରକାର ସରକାର ସେହି ସମୟରେ ଏହି ନିଷ୍ପତ୍ତି ନେଇଥିଲେ । ଏହା ପରେ ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ନାମରେ ଅଲଗା ସ୍ଥାନ ଭିଭିଆଇପିଙ୍କ ଅନ୍ତିମ ସଂସ୍କାର ଓ ସ୍ମାରକ ନିର୍ମାଣ ପାଇଁ ଦିଆଯାଉଛି । ଅଟଳ ବିହାରୀ ବାଜପେୟୀଙ୍କ ସ୍ମାରକ ମଧ୍ୟ ଏଠାରେ ନିର୍ମାଣ ହୋଇଛି । ବାଜପେୟୀଙ୍କ ଅନ୍ତିମ ସଂସ୍କାର ହିଁ ଏଠାରେ ହୋଇଥିଲା । ତେବେ କଂଗ୍ରେସର ଆପତ୍ତି ଏହା ଯେ, ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ନିଗମ ବୋଧ ଘାଟରେ କାହିଁକି କରାଗଲା । ତାଙ୍କର ଅନ୍ତିମ ସଂସ୍କାର କାହିଁକି ସେହି ସ୍ଥାନରେ କରାଗଲା ନାହିଁ ଯେଉଁଠି ତାଙ୍କ ସ୍ମାରକ ନିର୍ମାଣ ହୋଇ ପାରିବ ।