ବାରିପଦା : ରବିବାର ଟ୍ରାଙ୍କୁଲାଇଜ ହୋଇଛି ‘ଜୀନ୍ନତ’ । ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଖସି ଯାଇ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗରେ ପହଞ୍ଚି ଥିବା ୩ ବର୍ଷର ବାଘୁଣୀ ‘ଜୀନ୍ନତ’କୁ କାବୁ କରିଛି ପଶ୍ଚିମବଙ୍ଗର ବନବିଭାଗ । ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲ୍ଲା ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ୍ କୁମାର ଝା ଏନେଇ ସୂଚନା ଦେଇଛନ୍ତି। ବାଘୁଣୀ ଜୀନ୍ନତକୁ ଆଲିପୁରସ୍ଥିତ ଚିଡ଼ିଆଖାନାକୁ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସେଠାରେ ସଂପୂର୍ଣ୍ଣ ରୂପେ ପ୍ରକ୍ରିୟା ଶେଷ ହେଲା ପରେ ଶିମିଳିପାଳକୁ ପୁଣି ଅଣାଯିବ।
ସୂଚନାଅନୁସାରେ, ଗତ ଡିସେମ୍ବର ୧୦ ତାରିଖରେ ଶିମିଳିପାଳରୁ ଜୀନ୍ନତ ଖସିଯାଇ ଝାଡ଼ଖଣ୍ଡ ପଳାଇଥିଲା। ସେଠାରେ ସେ ବୁଲିବାପରେ ଓଡିଶା ନଫେରି ପଶ୍ଚିମବଙ୍ଗକୁ ଚାଲିଯାଇଥିଲା । ପ୍ରଥମେ ତାକୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା। ପରେ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା। ଜୀନ୍ନତ ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ପଳାଇବା ପରେ ପ୍ରତିଦିନ ସ୍ଥାନ ବଦଳାଇଥିଲା। ଶେଷରେ ପୁରୁଲିଆ ଜଙ୍ଗଲରୁ ବାଙ୍କୁଡ଼ା ଯାଇଥିଲା ଜିନ୍ନତ । ବାଙ୍କୁଡ଼ାରେ ବନ ବିଭାଗର କର୍ମଚାରୀ ଓ ଶିମିଳିପାଳ ବ୍ୟଘ୍ର ପ୍ରକଳ୍ପର ଅଧିକାରୀ ପହଞ୍ଚି ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଉଦ୍ୟମ କରିଥିଲେ। ବାଙ୍କୁଡା ଜିଲ୍ଲା ରାଣୀବନ୍ଧ ନିକଟ ଏକ ଗ୍ରାମୀଣ ଜଙ୍ଗଲରେ ଜିନ୍ନତକୁ କାବୁ କରାଯିବାକୁ ଗତକାଲି ଅପରାହ୍ନରେ ବ୍ୟବସ୍ଥିତ ରହିଥିବାବେଳେ ଏହା ଫଲ୍ସ ହୋଇଥିଲା। ଫଳରେ ବାଙ୍କୁଡାର ରାଣୀବନ୍ଧ ଥାନା ଅନ୍ତର୍ଗତ ଗୋସାଇଁଡିହି ଗାଁ ନିକଟରେ ଏବେ ରହିଥିବା ଜଣାପଡିଥିଲା। ଏହାର ଚାରିପାର୍ଶ୍ବରେ ବନବିଭାଗ ନାଇଲନ ଜାଲ ବିଛା ଯାଇଥିଲା। ଜିନ୍ନତକୁ ଧରିବା ପାଇଁ ବହୁ ଯୋଜନା କରାଯାଇଥିଲା ଶେଷରେ ଶିମିଳିପାଳଠାରୁ ପ୍ରାୟ ୨୭୦ କିମି ଦୂରରୁ ଜୀନତକୁ ଟ୍ରାଙ୍କୁଲାଇଜ୍ କରାଯାଇଛି।