ଚେନ୍ନାଇ: ଆନ୍ନା ବିଶ୍ୱବିଦ୍ୟାଳୟ ପରିସରରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରିବାକୁ ମାଡ୍ରାସ ହାଇକୋର୍ଟ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ଏସଆଇଟିର ୩ ଜଣ ସଦସ୍ୟ ମହିଳା ଆଇପିଏସ୍ ଅଫିସର ରହିବେ। ପୀଡ଼ିତାଙ୍କ ପରିଚୟ ପ୍ରକାଶ ଏବଂ ଏଫଆଇଆର ଲିକ୍ କରିଥିବାରୁ କୋର୍ଟ ଚେନ୍ନାଇ ପୁଲିସକୁ କଡ଼ା ସମାଲୋଚନା କରିବା ସହ ପୀଡ଼ିତାଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଭବିଷ୍ୟତରେ ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଯୌନ ଅପରାଧ ମାମଲାରେ ଯେପରି ଏଫଆଇଆର ଲିକ୍ ନହୁଏ ତାହା ସୁନିଶ୍ଚିତ କରିବାକୁ କୋର୍ଟ ତାମିଲନାଡୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଏସ୍ ଏମ୍ ସୁବ୍ରମଣ୍ୟମ୍ ଓ ଭି ଲକ୍ଷ୍ମୀନାରାୟଣଙ୍କୁ ନେଇ ଗଠିତ ଖଣ୍ଡପୀଠ ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।
ପୀଡ଼ିତାଙ୍କ ପାଠପଢ଼ା ପ୍ରଭାବିତ ହେବା ଉଚିତ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି। ଆନ୍ନା ବିଶ୍ୱବିଦ୍ୟାଳୟ ତାଙ୍କଠାରୁ କୌଣସି ଫି' ଆଦାୟ କରିବା ଉଚିତ୍ ନୁହେଁ। ଅନ୍ୟପକ୍ଷରେ ତାମିଲନାଡୁ ରାଜ୍ୟପାଳ ଆର୍ଏନ୍ ରବି ଶନିବାର ଆନ୍ନା ବିଶ୍ୱବିଦ୍ୟାଳୟ ଗସ୍ତ କରି ଯୌନ ନିର୍ଯାତନା ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି।
ସୂଚନାଯୋଗ୍ୟ ଗତ ୨୩ ତାରିଖରେ ଆନ୍ନା ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ ଛାତ୍ରୀଙ୍କୁ କ୍ୟାମ୍ପସ ଭିତରେ ଦୁଇ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିଲେ। ଏହି ମାମଲାରେ ପୁଲିସ ଜ୍ଞାନସେକରନଙ୍କୁ ଗିରଫ କରିଛି। ଦ୍ବିତୀୟ ଅଭିଯୁକ୍ତକୁ ଖୋଜା ଚାଲିଛି।
ଛାତ୍ରୀ ଦୁଷ୍କର୍ମ ମାମଲାର ସତ୍ୟାସତ୍ୟ ଜାଣିବା ପାଇଁ ଜାତୀୟ ମହିଳା ଆୟୋଗ ଶନିବାର ଏକ କମିଟି ଗଠନ କରିଛି। କମିଟିର ସଦସ୍ୟମାନେ ଡିସେମ୍ବର ୩୦ରେ ଚେନ୍ନାଇ ଗସ୍ତ କରିବାର ସମ୍ଭାବନା ରହିଛି। ଏନସିଡବ୍ଲ୍ୟୁ ଅଧ୍ୟକ୍ଷା ବିଜୟା ରାହତକର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିବା ପାଇଁ କମିଟି ଗଠନ କରିଛନ୍ତି। ଏହି କମିଟିରେ ଏନସିଡବ୍ଲ୍ୟୁ ସଦସ୍ୟା ମମତା କୁମାରୀ ଏବଂ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ତଥା ମହାରାଷ୍ଟ୍ରର ପୂର୍ବତନ ଡିଜିପି ପ୍ରବୀଣ ଦୀକ୍ଷିତ ରହିଛନ୍ତି।
କମିଟିର ସଦସ୍ୟମାନେ ସମ୍ପୃକ୍ତ କର୍ତ୍ତୃପକ୍ଷ, ପୀଡ଼ିତା, ତାଙ୍କ ପରିବାର, ବନ୍ଧୁ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ଆଲୋଚନା କରି ଘଟଣାର ସତ୍ୟାସତ୍ୟ ଜାଣିବା ସହ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେବେ। ଜାତୀୟ ମହିଳା ଆୟୋଗ ଏହି ଘଟଣାକୁ ସ୍ୱୟଂ ମୋଟୋ ଭାବେ ଗ୍ରହଣ କରିଛନ୍ତି। ଏ ନେଇ ଏନସିଡବ୍ଲ୍ୟୁ ତାମିଲନାଡୁ ଡିଜିପିଙ୍କୁ ନୋଟିସ୍ ମଧ୍ୟ ଜାରି କରିଥିଲା।
ଅଧିକ ପଢ଼ନ୍ତୁ: ରାଜଧାନୀରେ ଭାଙ୍ଗିଲା ୧୦୧ ବର୍ଷର ଏହି ରେକର୍ଡ