ନୂଆଦିଲ୍ଲୀ: ନୂଆବର୍ଷ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍'ର ଶୁଭାରମ୍ଭ କରିଛନ୍ତି। ୧୧୭ତମ ଏପିସୋଡରେ ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭକୁ ନେଇ ମଧ୍ୟ ମୋଦୀ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହାକୁମ୍ଭ ମଧ୍ୟ ଏକତାର ମହାକୁମ୍ଭ। ୧୩ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ମହାକୁମ୍ଭରେ ଏହାର ବିବିଧତା ଦେଖିବାକୁ ମିଳିବ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମହାକୁମ୍ଭର ବିଶେଷତ୍ୱ କେବଳ ଏହାର ବିଶାଳତାରେ ନାହିଁ, ବରଂ କୁମ୍ଭର ବିଶେଷତ୍ୱ ମଧ୍ୟ ଏହାର ବିବିଧତା ମଧ୍ୟରେ ରହିଛି । ଏହି କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଲୋକ ଏକାଠି ହେବେ। ଲକ୍ଷ ଲକ୍ଷ ସାଧୁ, ହଜାର ହଜାର ପରମ୍ପରା, ଶହ ଶହ ସମ୍ପ୍ରଦାୟ, ଅନେକ ଆଖଡ଼ା, ସମସ୍ତେ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବ। କେଉଁଠି ଭେଦଭାବ ନାହିଁ, କେହି ବଡ଼ ନୁହଁନ୍ତି, କେହି ଛୋଟ ନୁହଁନ୍ତି। ବିବିଧତା ଭିତରେ ଏକତାର ଏଭଳି ଦୃଶ୍ୟ ପୃଥିବୀର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳିବ ନାହିଁ।
ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,୨୦୨୫ ଜାନୁଆରି ୨୬ ରେ ଆମ ସମ୍ବିଧାନ ର ୭୫ ବର୍ଷ ପୂରଣ ହେବାକୁ ଯାଉଛି । ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଆମ ସମ୍ବିଧାନ ନିର୍ମାତାମାନେ ଆମକୁ ଯେଉଁ ସମ୍ବିଧାନ ହସ୍ତାନ୍ତର କରିଛନ୍ତି ତାହା ସମୟର ପରୀକ୍ଷାରେ ଠିଆ ହୋଇଛି। ୨୦୨୫ରେ ସମ୍ବିଧାନର ୭୫ ବର୍ଷ ପୂରଣ ହେବ ବୋଲି ମୋଦୀ କହିଛନ୍ତି। ଦେଶର ନାଗରିକମାନଙ୍କୁ ସମ୍ବିଧାନର ପରମ୍ପରା ସହ ଯୋଡ଼ିବା ପାଇଁ http://constitution75.com ନାମରେ ଏକ ସ୍ୱତନ୍ତ୍ର ୱେବସାଇଟ୍ ମଧ୍ୟ ସୃଷ୍ଟି କରାଯାଇଛି। ଏଥିରେ ଆପଣ ସମ୍ବିଧାନର ପ୍ରସ୍ତାବନା ପଢ଼ି ନିଜର ଭିଡିଓ ଅପଲୋଡ୍ କରିପାରିବେ। ଆପଣ ସମ୍ବିଧାନକୁ ବିଭିନ୍ନ ଭାଷାରେ ପଢିପାରିବେ, ଆପଣ ସମ୍ବିଧାନ ବିଷୟରେ ମଧ୍ୟ ପ୍ରଶ୍ନ ପଚାରିପାରିବେ। ମୁଁ 'ମନ୍ କି ବାତ୍'ର ଶ୍ରୋତା, ସ୍କୁଲରେ ପଢୁଥିବା ପିଲା ଏବଂ କଲେଜ ଯାଉଥିବା ଯୁବକମାନଙ୍କୁ ଅନୁରୋଧ କରୁଛି, ଏହି ୱେବସାଇଟକୁ ଯାଆନ୍ତୁ ଏବଂ ଏଥିରେ ଅଂଶଗ୍ରହଣ କରନ୍ତୁ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହା ହେଉଛି ଚଳିତ ବର୍ଷର ନବମ ତଥା ଶେଷ ଏପିସୋଡ୍। ଲୋକସଭା ନିର୍ବାଚନ କାରଣରୁ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହୋଇନଥିଲା। ନଭେମ୍ବର ୨୪ରେ ୧୧୬ତମ ଏପିସୋଡ୍ ପ୍ରସାରିତ ହୋଇଥିଲା, ଯେଉଁଥିରେ ମୋଦୀ ଡିଜିଟାଲ ଗିରଫ, ସ୍ୱାମୀ ବିବେକାନନ୍ଦ, ଏନସିସି ଏବଂ ପାଠାଗାର ଭଳି ବିଷୟଉପରେ ବକ୍ତବ୍ୟ ରଖିଥିଲେ।
ଅଧିକ ପଢ଼ନ୍ତୁ: ଜଙ୍ଗଲ ଦେଇ ସୀମା ଅତିକ୍ରମ କରୁଥିବା ବେଳେ ଗିରଫ