ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସାମିଲ ପାକିସ୍ତାନୀ ନିବାସୀ କାନାଡାର ବ୍ୟବସାୟୀ ତହବୁର ରାଣାକୁ ଶୀଘ୍ର ଭାରତକୁ ହସ୍ତାନ୍ତର କରାଯିବ । କୂଟନୈତିକସ୍ତରରେ ଭାରତକୁ ହସ୍ତାନ୍ତର କରିବା ପାଇଁ ପ୍ରସ୍ତୁତି ଚାଲିଛି । ୨୦୨୪ ଅଗଷ୍ଟରେ ଆମେରିକାର କୋର୍ଟ ଏହି ମାମଲାରେ ନିଜର ନିଷ୍ପତ୍ତି ଶୁଣାଇ ଭାରତ-ଆମେରିକା ପ୍ରତ୍ୟର୍ପଣ ସନ୍ଧି ଆଧାରରେ ରାଣାକୁ ଭାରତ ପଠାଇବା ପାଇଁ ମଞ୍ଜୁରୀ ଦେଇଥିଲେ । ଏବେ ରାଣାକୁ ଭାରତ ଆଣିବା ପାଇଁ ପ୍ରକ୍ରିୟା ଜୋରଦାର ଚାଲିଛି ।
ଆମେରିକାର କୋର୍ଟ ମୁମ୍ବାଇ ଆକ୍ରମଣରେ ସାମିଲ ତହବୁର ରାଣାକୁ ଭାରତକୁ ପ୍ରତ୍ୟର୍ପଣ ନ କରିବା ପାଇଁ ଦାଖଲ ଯାଚିକାକୁ ଖାରଜ କରି ଦେଇଛନ୍ତି । କୋର୍ଟ କହିଛନ୍ତି, ଭାରତ ରାଣା ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଦେଇଛି । ମୁମ୍ବାଇ ପୋଲିସ ୨୬/୧୧ ଆକ୍ରମଣ ମାମଲାରେ ନିଜର ଚାର୍ଜସିଟରେ ରାଣାର ନାମ ସାମିଲ କରିଥିଲା । ରାଣା ଉପରେ ପାକିସ୍ତାନର ଆଇଏସଆଇ ଓ ଆତଙ୍କୀ ସଂଗଠନ ଲସ୍କର ଇ ତୋଇବାର ସକ୍ରିୟ ସଦସ୍ୟ ହୋଇଥିବା ଅଭିଯୋଗ ହୋଇଥିଲା ।
ଅଭିଯୋଗରେ କୁହାଯାଇଛି ଯେ, ତହବୁର ରାଣା ମୁମ୍ବାଇ ହମଲାର ମାଷ୍ଟର ମାଇଣ୍ଡ ଡେଭିଡ କୋଲମ୍ୟାନ ହେଡଲୀର ସହାୟତା କରିଥିଲା । ହେଡଲି ଆକ୍ରମଣ ପୂର୍ବରୁ ମୁମ୍ବାଇରେ ରେକି କରିଥିଲା । କୋର୍ଟ କହିଛନ୍ତି, ଭାରତ ଓ ଆମେରିକା ମଧ୍ୟରେ ପ୍ରତ୍ୟର୍ପଣ ସନ୍ଧିରେ ନନ ବିସ ଆଇଡମ ରହିଛି । ଏହି ନିୟମ ତେବେ ଲାଗୁ ହୁଏ ଯେବେ ଅଭିଯୁକ୍ତକୁ ପୂର୍ବରୁ ସେହି ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିବ କିମ୍ବା ମୁକ୍ତ କରାଯାଇଥିବ । ଭାରତରେ ରାଣା ବିରୋଧରେ ରହିଥିବା ଅଭିଯୋଗ ଆମେରିକାରେ ଅଦାଲତରେ ଦାୟର ଅଭିଯୋଗ ପତ୍ର ଭିନ୍ନ ରହିଛି । ଏଥିପାଇଁ ରାଣାକୁ ଭାରତକୁ ପ୍ରତ୍ୟର୍ପଣ କରାଯିବ । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ପାଖାପାଖି ଗୋଟିଏ ବର୍ଷ ପରେ ରାଣାକୁ ଚିକାଗୋରେ ଏଫବିଆଇ ଗିରଫ କରିଥିଲା ।