ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ପୂର୍ବାହ୍ଣରେ ଜଷ୍ଟିସ୍ ବି.ଆର. ଗଭାଇଙ୍କୁ ଭାରତର ୫୨ତମ ପ୍ରଧାନବିଚାରପତି ଭାବରେ ଶପଥ ଗ୍ରହଣ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଜଷ୍ଟିସ୍ ଗଭାଇ ଏବେ ଭାରତର ନୂତନ ପ୍ରଧାନବିଚାରପତି ଦାୟିତ୍ବ ଗ୍ରହଣ କରିଛନ୍ତି।
ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ବାସ୍ଥ୍ୟମନ୍ତ୍ରୀ ଜେପିନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ପୂର୍ବତନ ପ୍ରଧାନବିଚାରପତି ଏପ୍ରିଲ ୧୬ ତାରିଖରେ ଜଷ୍ଟିସ ଗଭାଇଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ଜଷ୍ଟିସ୍ ଗଭାଇଙ୍କ କାର୍ଯ୍ୟକାଳ ଛଅ ମାସ ରହିବ ଏବଂ ସେ ଡିସେମ୍ବର ୨୩ ତାରିଖରେ ୬୫ ବର୍ଷ ବୟସରେ ଅବସର ନେବେ।
ଜଷ୍ଟିସ୍ ଗଭାଇ ୧୯୬୦ ନଭେମ୍ବର ୨୪ ତାରିଖରେ ମହାରାଷ୍ଟ୍ରର ଅମରାବତୀରେ ଜନ୍ମଗ୍ରହଣ କରିଥିଲେ। ସେ ସ୍ୱର୍ଗତ ଆର.ଏସ. ଗଭାଇଙ୍କ ପୁଅ ଯିଏ ବିହାର ଏବଂ କେରଳର ରାଜ୍ୟପାଳ ଥିଲେ। ୨୦୦୩ ନଭେମ୍ବର ୧୪ରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ପଦୋନ୍ନତି ଦିଆଯାଇଥିଲା। ସେ ୨୦୦୫ ନଭେମ୍ବର ୧୨ରେ ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିଲେ। ଜଷ୍ଟିସ୍ ଗଭାଇ ସୁପ୍ରିମକୋର୍ଟର ଅନେକ ସାମ୍ବିଧାନିକ ଖଣ୍ଡପୀଠର ଅଂଶ ଥିଲେ, ଯେଉଁମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
ଜଷ୍ଟିସ୍ ଗଭାଇଙ୍କୁ ୨୦୧୯ ମେ ୨୪ରେ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା। ଜଣେ ବିଚାରପତି ଭାବରେ, ସେ ମୁମ୍ବାଇ, ନାଗପୁର, ଔରଙ୍ଗାବାଦ ଏବଂ ପାଣାଜୀର ବିଭିନ୍ନ ବେଞ୍ଚରେ କାର୍ଯ୍ୟ କରିଛନ୍ତି।
ଅଧିକ ପଢ଼ନ୍ତୁ: ଉଦୟପୁରରୁ ମାର୍ବଲ ପଠାଇବେନି ବ୍ୟବସାୟୀ