ନୂଆଦିଲ୍ଲୀ: କୂଟନୈତିକ ସ୍ତରରେ ଭାରତର ପୁଣି ଏକ ବଡ଼ ବିଜୟ ହୋଇଛି । ପହଲଗାମ ଆକ୍ରମଣ ଘଟଣା ପରେ ଭୁଲବଶତଃ ସୀମା ଅତିକ୍ରମ କରିଥିବା ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଯବାନ ପୂର୍ଣ୍ଣମ କୁମାର ସଙ୍କୁ ଶେଷରେ ମୁକ୍ତ କରିଛି ପାକିସ୍ତାନ ।
ବିଏସ୍ଏଫ୍ କନଷ୍ଟେବଳ ପୂର୍ଣ୍ଣମ କମାର ସଙ୍କୁ ପାକିସ୍ତାନ ରେଞ୍ଜର୍ସ ମୁକ୍ତ କରିଛନ୍ତି । ଦୀର୍ଘ ୨୧ ଦିନ ପରେ ସେ ଭାରତକୁ ଫେରିଛନ୍ତି । ବୁଧବାର ସକାଳ ପ୍ରାୟ ୧୦ଟା ୩୦ ମିନିଟରେ ଅଟାରି-ୱାଘା ସୀମାରେ ପାକିସ୍ତାନ ପୂର୍ଣ୍ଣମଙ୍କୁ ଭାରତକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଏପ୍ରିଲ ୨୨ ତାରିଖରେ ପହଲଗାମରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଯାଇଥିଲା । ଠିକ ଏହାର ପରଦିନ ଏପ୍ରିଲ ୨୩ରେ ପଞ୍ଜାବରେ ନିଯୁକ୍ତ ଥିବା ୧୮୨ତମ ବାଟାଲିୟନର କନଷ୍ଟେବଳ ପିକେ ସିଂହ କାର୍ୟ୍ୟରତ ଥିବାବେଳେ ଭୁଲବଶତଃ ଅନ୍ତରାଷ୍ଟ୍ରୀୟ ସୀମା ଅତିକ୍ରମ କରିଯାଇଥିଲେ । ସେ ଛାଇରେ ବିଶ୍ରାମ ନେବାକୁ ଆଗକୁ ଯାଇଥିବା ବେଳେ ତାଙ୍କୁ ପାକିସ୍ତାନୀ ରେଞ୍ଜର୍ସ ଧରି ନେଇଥିଲେ । ସେବେଠାରୁ ସେ ପାକିସ୍ତାନ କବଜାରେ ଥିଲେ । ତାଙ୍କର ହାତ ଏବଂ ଆଖି ବନ୍ଧା ଥିବା ଏକ ଫଟୋ ମଧ୍ୟ ପାକିସ୍ତାନ ଜାରି କରିଥିଲା । ଯାହାକୁ ଦେଖିବାପରେ ସମସ୍ତେ ବିଚଳିତ ହୋଇପଡ଼ିଥିଲେ । ଅପରେସନ୍ ସିନ୍ଦୂର ପରେ ପିକେଙ୍କ ପତ୍ନୀ ତାଙ୍କ ସିନ୍ଦୂରକୁ ଫେରାଇ ଆଣିବାକୁ ଗୁହାରୀ କରିଥିଲେ ।