ନୂଆଦିଲ୍ଲୀ: ଭାରତ ସମେତ ସାରା ବିଶ୍ୱରେ ଖୁବ ଉତ୍ସାହର ସହ ନୂଆବର୍ଷ ୨୦୨୫ ଆରମ୍ଭ ହୋଇଛି। ନୂଆବର୍ଷକୁ ସ୍ୱାଗତ କରିବା ପରେ ଲୋକେ ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି। ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ବିଭିନ୍ନ ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଠି ଗୋଟିଏ ଦିନ ପୂର୍ବରୁ ଲୋକଙ୍କ ସମାଗମ ଆରମ୍ଭ ହୋଇଥିଲା। ନୂଆବର୍ଷ ଉତ୍ସବରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରଗୁଡ଼ିକ ଉଜ୍ଜ୍ୱଳ ଦେଖିବାକୁ ମିଳିଥିଲା। ମେଟ୍ରୋ ସହରଗୁଡ଼ିକରେ ନୂଆବର୍ଷ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
୨୦୨୪ ବର୍ଷକୁ ବିଦାୟ ଦେଇ ସାରା ବିଶ୍ୱ ୨୦୨୫ ବର୍ଷକୁ ସ୍ୱାଗତ କରିଛି। ଏହା ଉତ୍ସବ ପାଳନ କରିବା, ଅତୀତକୁ ପଛରେ ପକାଇ ଉଜ୍ଜ୍ୱଳ ଭବିଷ୍ୟତ ଆଶାରେ ଆଗକୁ ବଢ଼ିବାର ସମୟ। ପୃଥିବୀର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଟାଇମ୍ ଜୋନ୍ ଥିବାରୁ ପ୍ରତ୍ୟେକ ଦେଶର ନୂଆ ବର୍ଷ ଭିନ୍ନ ଭିନ୍ନ ସମୟରେ ଆରମ୍ଭ ହୋଇଥିଲା। ନୂଆବର୍ଷ ପ୍ରଥମେ କିରିଟମାଟି ଦ୍ୱୀପ (ଖ୍ରୀଷ୍ଟମାସ ଦ୍ୱୀପ)ରେ ପାଳିତ ହୋଇଥିଲା। ଏହି ଦ୍ୱୀପ କିରିବାଟି ଗଣତନ୍ତ୍ରର ଏକ ଅଂଶ ଅଟେ। ଏହା ଭାରତଠାରୁ ୭.୩୦ ଘଣ୍ଟା ଆଗକୁ ରହିଛି। ଭାରତ ପୂର୍ବରୁ ମୋଟ ୪୧ଟି ଦେଶ ନୂଆବର୍ଷ ପାଳନ କରିଛନ୍ତି।
ଭାରତରେ ନୂଆବର୍ଷ ପାଇଁ ଚାରିଆଡ଼େ ଉତ୍ସାହ ଦେଖାଯାଇଛି। ଗାଁ ଠୁ ସହର ଏବଂ କଶ୍ମୀରରୁ କନ୍ୟାକୁମାରୀ ଯାଏଁ ସବୁଆଡ଼େ ନୂଆବର୍ଷର ଝଲକ ଦେଖିବାକୁ ମିଳିଛି। ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଜମ୍ମୁ କଶ୍ମୀରରେ ପ୍ରବଳ ଥଣ୍ଡାକୁ ଶାତିର ନକରି ଯୁବପିଢ଼ି ମଧ୍ୟରାତ୍ରୀରେ ବାଣ ଫୁଟାଇଛନ୍ତି। ଆଧ୍ୟାତ୍ବିକର ଦେଶ ଭାରତର ବିଭିନ୍ନ ଧାର୍ମିକସ୍ଥଳରେ ମଧ୍ୟ ଶ୍ରଦ୍ଧାଳୁମାନେ ଧାର୍ମିକ ଭାବନାର ସହିତ ନୂଆବର୍ଷ ଆରମ୍ଭ କରିଛନ୍ତି। ପଞ୍ଜାବର ଅମୃତସର, ଉଜ୍ଜୈନର ମହାକାଳେଶ୍ବର, ଅଯୋଧ୍ୟାର ରାମମନ୍ଦିର, ବାରାଣସୀର କାଶୀବିଶ୍ବନାଥ, ତାମିଲନାଡୁର ରାମେଶ୍ବର, ଆନ୍ଧ୍ରପ୍ରଦେଶର ତିରୁପତି, କେରଳର ପଦ୍ମନାଭସ୍ବାମୀ, ମୁମ୍ବାଇର ସିଦ୍ଧିବିନାୟକ, ପୁରୀର ଶ୍ରୀମନ୍ଦିରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି।
ଏତଦ୍ ବ୍ୟତୀତ ଭାରତୀୟ ସହରଗୁଡ଼ିକରେ ରାଜରାସ୍ତାରେ ମଧ୍ୟ ଯୁବପିଢ଼ି ନୂଆବର୍ଷ ପାଇଁ ଉତ୍ସାହିତ ଦେଖାଯାଇଛନ୍ତି। ମୁମ୍ବାଇ, ଚେନ୍ନାଇ, ନୂଆଦିଲ୍ଲୀ, କୋଲକାତାରେ ଲୋକେ ବିଳମ୍ବିତ ରାତି ଯାଏଁ ନୂଆବର୍ଷରେ ମତୁଆଲ ହୋଇଛନ୍ତି।