ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶନିବାର ଦିନ ୧୩ ଜଣ ବାଂଲାଦେଶୀ ଗିରଫ ହୋଇଥିବା ବେଳେ ଦିଲ୍ଲୀରେ ପୁଣି ସମାନ ଘଟଣା ଦେଖିବାକୁ ମିଳିଛି। ବେଆଇନ ବାଂଲାଦେଶୀ ନାଗରିକଙ୍କ ସମେତ ଦିଲ୍ଲୀର ଦକ୍ଷିଣ ପଶ୍ଚିମ ଜିଲ୍ଲାରେ ଏହି ଯାଞ୍ଚ ଅଭିଯାନ କରାଯାଇଥିଲା। ଘରକୁ ଘର ବୁଲି ଯାଞ୍ଚ କରାଯିବା ସହ ପ୍ରାୟ ୪୦୦ ପରିବାରର ସ୍କ୍ରିନିଂ କରାଯାଇ ସେମାନଙ୍କ କାଗଜପତ୍ର ଦାଖଲ କରାଯାଇଥିଲା। ଏହି ଅପରେସନ୍ ସମୟରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ସମେତ ୮ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି ବୋଲି ଦିଲ୍ଲୀ ପୁଲିସ କହିଛି। ସେମାନେ ଜଙ୍ଗଲ ମାର୍ଗ ଦେଇ ଏବଂ ଏକ୍ସପ୍ରେସ୍ ଟ୍ରେନ୍ ଯୋଗେ ଭାରତରେ ପ୍ରବେଶ କରିଥିଲେ। ବାଂଲାଦେଶରୁ ୮ ଜଣ ବେଆଇନ ପ୍ରବାସୀଙ୍କୁ ଏଫ୍ ଆର୍ ଆର୍ ଓ ଜରିଆରେ ବାଂଲାଦେଶ ପଠାଯାଇଛି।
ବେଆଇନ ଭାବେ ରହୁଥିବା ବାଂଲାଦେଶୀ ନାଗରିକଙ୍କୁ ସ୍ଥାନୀୟ ପୁଲିସ ସହାୟତାରେ ଠାବ କରିବା ପାଇଁ ମହାରାଷ୍ଟ୍ରର ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍) ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଗୁଇନ୍ଦା ସୂଚନା ଆଧାରରେ ଏଟିଏସ୍ ଅଧିକାରୀମାନେ ଶୁକ୍ରବାର ଠାରୁ ୨୪ ଘଣ୍ଟା ମଧ୍ୟରେ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ବାଂଲାଦେଶୀ ନାଗରିକମାନଙ୍କୁ ସ୍ଥାନୀୟ ପୁଲିସ ସହାୟତାରେ ଠାବ କରିଥିଲେ।
ବିଦେଶୀ ଅଧିନିୟମ, ୧୯୪୬, ପାସପୋର୍ଟ (ଭାରତରେ ପ୍ରବେଶ) ଆଇନ, ୧୯୫୦, ପାସପୋର୍ଟ ଆଇନ, ୧୯୬୭ ଅଧୀନରେ ବିଭିନ୍ନ ଥାନାରେ ମୋଟ ୩ଟି ମାମଲା ରୁଜୁ ହୋଇଛି। ଏହି ଅପରେସନ ସମୟରେ ଏଟିଏସ୍ ଅଧିକାରୀମାନେ ସ୍ଥାନୀୟ ପୁଲିସ ଅଧିକାରୀଙ୍କ ସହ ମିଶି ବେଆଇନ ଭାବେ ରହୁଥିବା ମୋଟ ୧୩ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଥିଲେ। ଏମାନଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି।
ଉକ୍ତ ଅପରାଧର ତଦନ୍ତ ବେଳେ ଏଟିଏସ୍ ଅଧିକାରୀମାନେ ଜାଣିବାକୁ ପାଇଥିଲେ ଯେ ବାଂଲାଦେଶୀ ନାଗରିକମାନେ ନକଲି କାଗଜପତ୍ର ବ୍ୟବହାର କରି ଆଧାର କାର୍ଡ ଇତ୍ୟାଦି କାଗଜପତ୍ର ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି ଏବଂ ଭାରତୀୟ ନାଗରିକତା ପରିଚୟପତ୍ର ମଧ୍ୟ ଅଭିଯୁକ୍ତ ବାଂଲାଦେଶୀ ନାଗରିକମାନେ ତିଆରି କରିଛନ୍ତି।