ଅମରାବତୀ: ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣାକାରୀ ସଂଗଠନ(ଇସ୍ରୋ)। ସୋମବାର ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ପ୍ରଥମ ଲଞ୍ଚ ପ୍ୟାଡ୍ରୁ ନିଜର ସ୍ପେଡେକ୍ସ ମିଶନ ଲଞ୍ଚ କରିଛି। ପୋଲାର ସାଟେଲାଇଟ ଲଞ୍ଚ ଭେଇକିଲ(ପିଏସଏଲଭି) –ସି ୬୦ ରକେଟ୍ ଦ୍ଵାରା ସୋମବାର ରାତି ୧୦ଟା ୧୫ ସେକେଣ୍ଡରେ ଏହାର ସଫଳ ଉତକ୍ଷେପଣ କରାଯାଇଛି। ମହାକାଶକୁ ପଠାଯାଇଥିବା ୨ଟି ସ୍ପେଶକ୍ରାପ୍ଟକୁ ଉପରେ ଯୋଡାଯିବ। ମିଶନ ସଫଳ ହେଲେ ସ୍ପେଶ ଡକିଂରେ ଭାରତ ଚତୁର୍ଥ ଦେଶ ହେବାର ଉପଲବ୍ଧି ହାସଲ କରିବ ।
ଏହାର ସଫଳ ଉତକ୍ଷେପଣ ପରେ ଇସ୍ରୋ କହିଛି ଯେ, ଏହି ମିଶନ ଭାରତୀୟ ମହାକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ। ମିଶନରେ ଦୁଇଟି ଉପଗ୍ରହକୁ ଅନ୍ତରୀକ୍ଷରେ ଯୋଡ଼ାଯିବ ଓ ଅଲଗା କରାଯିବ। ଏହି ମିଶନର ସଫଳତା ଭାରତର ଆଗାମୀ ମିଶନ ଚନ୍ଦ୍ରଯାନ-୪, ନିଜର ସ୍ପେଶ ଷ୍ଟେସନ ଓ ଚନ୍ଦ୍ର ପୃଷ୍ଠରେ ଭାରତୀୟ ମହାକାଶଚାରୀଙ୍କ ଅବତରଣ ସ୍ଵପ୍ନ ସାକାର ଦିଗରେ ବିଶେଷ ସହାୟକ ହେବ।
ମହାକାଶକୁ ଉତକ୍ଷେପଣ ହୋଇଥିବା ଦୁଇ ଉପଗ୍ରହ ସ୍ପେଶକ୍ରାଫ୍ଟ ଏ(ଏସଡିଏକ୍ସ୦୧) ଓ ସ୍ପେଶକ୍ରାଫ୍ଟ ବି(ଏସଡିଏକ୍ସ୦୨)କୁ ପ୍ରଥମେ ପରସ୍ପରଠୁ ୫ କିମି ଦୂରତାରେ ଅବସ୍ଥାପିତ କରାଯିବ। ପରେ ଇସ୍ରୋ ମୁଖ୍ୟାଳୟରୁ ଦୁଇ ସ୍ପେଶକ୍ରାଫ୍ଟକୁ ପୃଥିବୀରୁ ପ୍ରାୟ ୪୭୦ କିଲୋମିଟର ଉଚ୍ଚତାରେ ଯୋଡାଯିବ। ଏହି ପ୍ରକ୍ରିୟାକୁ ଡକିଂ କୁହାଯାଏ। ଏହା ପରେ ପୁଣି ଦୁଇ ଉପଗ୍ରହକୁ ଅଲଗା କରାଯିବ, ଯାହାକୁ ଅନଡକିଂ ପ୍ରକ୍ରିୟା କୁହାଯାଏ।
ଏହା ପୂର୍ବରୁ ଭାରତ ମହାକାଶରେ ଏହି ଧରଣର ପ୍ରୟୋଗ କରି ନାହିଁ। ମିଶନ ସଫଳ ହେଲେ ଆମେରିକା, ରୁଷ ଓ ଚୀନ ପରେ ଅନ୍ତରୀକ୍ଷ ଡକିଂ କରିବାରେ ଭାରତ ଚତୁର୍ଥ ଦେଶ ପାଲଟି ଯିବ।। ସେହିପରି ଚନ୍ଦ୍ରଯାନ-୪ ଓ ଭାରତୀୟ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ସ୍ଥାପନରେ ଏହା ଖୁବ୍ ସହାୟକ ହେବ।