ହମିରପୁର: ଉତ୍ତର ପ୍ରଦେଶର ହମିରପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ପେଟ୍ରୋଲ ପମ୍ପରେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ଟ୍ରକରେ ନିଆଁ ଲାଗିଯାଇଥିଲା। ସୁମେରପୁର ଥାନା ଅନ୍ତର୍ଗତ ୩୪ ନମ୍ବର ଜାତୀୟ ରାଜପଥରେ ଥିବା ଏକ ପେଟ୍ରୋଲ ପମ୍ପରେ ଏହି ଅଭାବନୀୟ ଘଟଣା ଘଟିଛି। ସୁମେରପୁର ମଣ୍ଡି ନିକଟରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ସମୟରେ ହଠାତ୍ ଉଭୟ ଟ୍ରକରେ ନିଆଁ ଲାଗିଯାଇଥିଲା।
ଟ୍ରକ୍ ଭିତରେ ଉଭୟ ଟ୍ରକ୍ ର ଡ୍ରାଇଭର ଓ କଣ୍ଡକ୍ଟର ଫସି ଯାଇଥିଲେ। ପରେ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବିଭାଗ ସେମାନଙ୍କୁ ଉଦ୍ଧାର କରିଥିଲେ। ସର୍କଲ ଅଫିସର ରାଜେଶ କମଲ କହିଛନ୍ତି, ସୁମେରପୁର ମଣ୍ଡି ନିକଟରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବାଫଳରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଉଭୟ ଚାଳକଙ୍କୁ ଉଦ୍ଧାର କରାଯାଇଛି।
ଏହା ପୂର୍ବରୁ ରାଜସ୍ଥାନର ରାଜଧାନୀ ଜୟପୁରରେ ଏଲପିଜି ଟ୍ୟାଙ୍କର ବିସ୍ଫୋରଣ ଘଟଣା ଘଟିଥିଲା । ଏହି ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ସୋସିଆଲ ମିଡିଆରେ ଭାଇରାଲ ହେଲା ଏହି ଦୁର୍ଘଟଣାର ଭିଡିଓ, ଏହି ଦୁଃଖଦ ଦୁର୍ଘଟଣାରେ ଲୋକମାନେ ଗୁରୁତର ଭାବେ ଜଳି ଯାଇଥିଲେ। ଏନେଇ କେନ୍ଦ୍ରୀୟ ପରିବହନ ବିଭାଗ ଏନ୍ଏଚ୍ଏଆଇର ଆଞ୍ଚଳିକ ଅଧିକାରୀ ଅର୍ଥାତ୍ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।