ନୂଆଦିଲ୍ଲୀ: ଦିଲ୍ଲୀର ୮୮ ବର୍ଷୀୟ ମେଡ଼ିସିନ୍ ବାବାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା । ଗରିବଙ୍କ ପାଇଁ ସେ ଘର ଘର ବୁଲି ଔଷଧ ସଂଗ୍ରହ କରୁଛନ୍ତି । ଦିଲ୍ଲୀ ଉତ୍ତମନଗରର ଏକ ଅଣ ଓସାରିଆ ଗଳିରେ ରହୁଥିବା ଏହି ମେଡିସିନ୍ ବାବାଙ୍କ ପ୍ରକୃତ ପରିଚୟ ହେଉଛି ଓମକାର ନାଥ । ପ୍ରତିବର୍ଷ ସେ ଗରିବଙ୍କୁ ପ୍ରାୟ ଦେଢ କୋଟିରୁ ଅଧିକ ଟଙ୍କାର ଔଷଧ ଦାନ କରନ୍ତି ।
ନିଜେ ରହୁଥିବା ଏକ ଘରେ ୩ଟି କୋଠରୀ ରହିଥିବା ବେଳେ ୨ଟି କଠୋରୀରେ ଔଷଧ, ଅକ୍ସିଜେନ ସିଲିଣ୍ଡର, ଦାମୀ ଇଞ୍ଜେକ୍ସନ, ହ୍ୱିଲ ଚେୟାର ଓ ଅନ୍ୟ ଅତ୍ୟାବଶ୍ୟକୀୟ ଜିନିଷ ସାଇତି ରହିଛନ୍ତି । ଓମକାରଙ୍କ ଔଷଧ ବ୍ୟାଙ୍କରେ ୨ ଟଙ୍କାଠୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଔଷଧ ରହିଛି ।
ଔଷଧ ସଂଗ୍ରହ ଘଟଣାକୁ ନେଇ ଓମକାର କୁହନ୍ତି, ପ୍ରାୟ ସମସ୍ତଙ୍କ ଘରେ କିଛି ଜରୁରୀ ଔଷଧ ରହିଥାଏ, ଏଥିସହ ଅନେକଙ୍କ ପାଖେ ଔଷଧ ରହି ରହି ନଷ୍ଟ ହୋଇଥାଏ, ତେଣୁ ଏଭଳି ସ୍ଥିତିରେ ସେ ଲୋକମାନଙ୍କ ଘରେ ଅଦକରକାରୀ ହୋଇ ପଡ଼ି ରହିଥିବା ଔଷଧ ସଂଗ୍ରହ କରି ନିଜ ଔଷଧ ବ୍ୟାଙ୍କ ଜମା ରଖନ୍ତି ।
ତେବେ ଓମକାର ମେଡିସିନ୍ ବାବା ହେବା ପଛରେ ଏକ କାରଣ ଲୁଚି ରହିଛି । ପ୍ରାୟ ୧୫ ବର୍ଷ ପୂର୍ବରୁ ଏକ ଦୁର୍ଘଟଣା ତାଙ୍କ ଜୀବନରେ ନୂଆ ମୋଡ ଆଣିଦେଇଛି । ତେବେ ସେଇ ଦୁର୍ଘଟଣା ହିଁ ତାଙ୍କୁ ଏଭଳି ମହତ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଛି ବୋଲି କହିଛନ୍ତି ମେଡିସିନ୍ ବାବା ନାମରେ ପରିଚିତ ଓମକାର ନାଥ ।
ଘଟଣା ମୁତାବିକ ଲକ୍ଷ୍ମୀନଗରରେ ଏକ ନିର୍ମାଣଧୀନ ଖମ୍ବ ଭୁଷୁଡି ପଡିବାରୁ ଓମକାରଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ । ପରେ ଆହତମାନଙ୍କୁ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ଜୀବନରକ୍ଷାକାରୀ ଔଷଧ ଶେଷ ହୋଇଯାଇଥିବା କହିଥିଲେ । ଏଥିସହ ରୋଗୀମାନଙ୍କୁ ବାହାରୁ ସେଇ ଔଷଧ ଆଣିବାକୁ କୁହାଯାଇଥିଲା । କିନ୍ତୁ ଦାମିକା ଔଷଧ ହୋଇଥିବାରୁ ସେସବୁ କିଣିବାକୁ ରୋଗୀଙ୍କ ପକ୍ଷେ ଯଥେଷ୍ଟ ସମ୍ବଳ ନଥିଲା, ସେଇ ଘଟଣା ପରଠାରୁ ସେ ରୋଗୀଙ୍କ ପାଇଁ ଅତ୍ୟାବଶକୀୟ ଔଷଧ ମାଗିବା ଆରମ୍ଭ କରିଥିଲେ ।
ପ୍ରତିଦିନ ଏକ ଅଟୋରେ ଯାତ୍ରା କରି ସେ ଗରିବଙ୍କ ପାଇଁ ଔଷଧ ସଂଗ୍ରହ କରୁଛନ୍ତି । ପ୍ରାଥମିକ ଭାବେ ତାଙ୍କ କାମ କେବଳ ଦିଲ୍ଲୀରେ ସୀମିତ ରହିଥିବା ବେଳେ, ପରବର୍ତ୍ତ ସମୟରେ ଏହା ଅନ୍ୟ ରାଜ୍ୟକୁ ବ୍ୟାପିଛି । ଏପରିକି ବର୍ତ୍ତମାନ ତାଙ୍କୁ ବିଦେଶରୁ ମଧ୍ୟ ଔଷଧ ଦାନ ଆକାରରେ ମିଳୁଛି ।
ଔଷଧ ବିତରଣ ବ୍ୟତିତ ସେ ବର୍ତମାନ ସୁଦ୍ଧା ୨୧ ଜଣ ରୋଗୀଙ୍କୁ କିଡନୀ ପ୍ରତ୍ୟାରୋପଣ କରିବାରେ ସହାୟତା କରିଛନ୍ତି । ତାଙ୍କର ଏହି ପ୍ରେରଣାଦାୟକ କାର୍ଯ୍ୟ ପାଇଁ ଚାରିଆଡେ ତାଙ୍କୁ ପ୍ରଂଶସା କରାଯାଉଛି ।