ନୂଆଦିଲ୍ଲୀ: ଟେଲିକମ୍ ବିଭାଗ ବିଏସଏନଏଲରେ ଦ୍ୱିତୀୟ ସ୍ୱେଚ୍ଛାକୃତ ଅବସର (ଭିଆର୍ଏସ) ଲାଗୁ କରିବା ନେଇ ଯୋଜନା କରୁଛି । ଏଥିପାଇଁ ଅର୍ଥ ମନ୍ତ୍ରଣାଳୟର ମଞ୍ଜୁରୀ ଲୋଡିଛି ଟେଲିକମ୍ ବିଭାଗ । ଭିଆରଏସ ଜରିଆରେ ବିଏସଏନଏଲ ତାହାର କର୍ମଜୀବିଙ୍କୁ ୩୫% ହ୍ରାସ କରିବାକୁ ଚାହୁଁଛି । ଏଥିପାଇଁ ପାଖାପାଖି ୧୯ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ । ଏହାଦ୍ୱାରା କମ୍ପାନି ନିଜ ଆର୍ଥିକ ସ୍ଥିତି ସୃଦୃଢ କରିବା ଉପରେ ବିଚାର କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ହେଲେ ଏଯାଏଁ କମ୍ପାନୀ କିମ୍ବା ସରକାରୀ ସ୍ତରରେ କୌଣସି ସ୍ପଷ୍ଟୀକରଣ ମିଳିନାହିଁ ।
ପୂର୍ବରୁ କମ୍ପାନୀ ପ୍ରଥମ ଭିଆରଏସ୍ ୨୦୧୯ରେ ଆଣିଥିଲା । ଏହି ପ୍ରକ୍ରିୟା ୨୦୧୯ ନଭେମ୍ବର ୪ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ଚାଲିଥିଲା । ସେହି ସମୟରେ ବିଏସଏନଏଲରେ ରହିଥିଲେ ୧ ଲକ୍ଷ ୫୦ ହଜାର କର୍ମଚାରୀ । ସେମାନଙ୍କ ମଧ୍ୟରୁ ଭିଆରଏସ ନେଇଥିଲେ ୭୮ହଜାର ୫୬୯ କର୍ମଚାରୀ ।
ବର୍ତ୍ତମାନ କମ୍ପାନୀ କର୍ମଚାରୀଙ୍କ ବେତନ ଲାଗି ୭୫୦୦ କୋଟି ଖର୍ଚ୍ଚ କରୁଛି । ଯାହା ରାଜସ୍ୱର ୩୮% । ତେଣୁ ଏହି ଖର୍ଚ୍ଚକୁ ୫ ହଜାରକୁ ହ୍ରାସ କରିବାକୁ ଯୋଜନା କରୁଛି କମ୍ପାନୀ । ଅର୍ଥ ମନ୍ତ୍ରଣାଳୟର ମଞ୍ଜୁରୀ ପରେ ଏହି ପ୍ରସ୍ତାବ କ୍ୟାବିନେଟ୍ ଆସିବ ବୋଲି କୁହାଯାଉଛି । ୨୦୨୪ରେ ବିଏସଏନଏଲର ରାଜସ୍ୱ ୨୧ ହଜାର ୩୦୨ କୋଟି ଟଙ୍କା ରହିଛି, ଯାହା ପୂର୍ବ ଅବଧି ତୁଳନାରେ ଏଥିରେ ଏବେ ସୁଧାର ଆସିଥିବା କୁହାଯାଉଛି । ତେବେ ବର୍ତମାନ ଦ୍ୱିତୀୟ ଭିଆରଏସ୍ ଦ୍ୱାରା କମ୍ପାନୀ ନିଜ ଆର୍ଥିକ ସ୍ଥିତିକୁ ପୂର୍ବପେକ୍ଷା ଆହୁରି ସୁଦୃଢ କରିବାକୁ ଚେଷ୍ଟା କରୁଛି ।