ମୁମ୍ବାଇ: ଦୀର୍ଘ ବର୍ଷର ବ୍ୟବଧାନ ପରେ ଏବେ ଭାରତୀୟ ସିନେମାକୁ କମ୍ବ୍ୟାକ୍ କରିବେ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା । ଲୋକପ୍ରିୟ ଫିଲ୍ମ ନିର୍ମାତା ଏସ୍ଏସ୍ ରାଜମୌଲୀଙ୍କ ଆଗାମୀ ସିନେମାରେ ସେ ହେବେ ହିରୋଇନ୍ । ଏଥିପାଇଁ ପ୍ରିୟଙ୍କାଙ୍କ ନାଁ ଚୂଡାନ୍ତ ହୋଇସାରିଛି । ତେବେ ଏହି ସିନେମାରେ ପ୍ରିୟଙ୍କା ବିପକ୍ଷରେ ନାୟକ ଭାବେ ନଜର ଆସିବେ ତେଲଗୁ ସୁପରଷ୍ଟାର ମହେଶବାବୁ ।
ଏସ୍ଏସ୍ ରାଜମୌଲୀଙ୍କ ଏହି ସିନେମାର କାହାଣୀ ଜଙ୍ଗଲ ଆଡ୍ଭେଞ୍ଚର ଉପରେ ଆଧାରିତ ହେବାକୁ ଯାଉଛି । ସିନେମାଟି ହିନ୍ଦୀ, ତାମିଲ, ମାଲାୟଲମ, କନ୍ନଡ ଭାଷାରେ ରିଲିଜ କରାଯିବ । ପ୍ରିୟଙ୍କା ଏଥିରେ ଆକ୍ସନ ସିନ୍ କରୁଥିବାର ଦେଖିବାକୁ ପାଇବେ ଦର୍ଶକ । ସେହିପରି ମୁଖ୍ୟ ଚରିତ୍ରରେ ଥିବା ମହେଶ ବାବୁ ଗବେଷକ ଭୂମିକାରେ ନଜର ଆସିବେ । ସିନେମାର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଏବେ ଏହାର ସୁଟିଂ କରାଯିବ । ଭାରତ ସମେତ ଆମେରିକ ଓ ଆଫ୍ରିକା ଜଙ୍ଗଲରେ କରାଯିବ ଫିଲ୍ମର ସୁଟିଂ । ତେବେ ଏହି ସିନେମାର ନାଁ କଣ ରହିବ, ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
ଶେଷ ଥର ପାଇଁ ପ୍ରିୟଙ୍କାଙ୍କୁ ଭାରତୀୟ ସିନେମାର ‘ସ୍କାଏ ଇଜ୍ ଫିଙ୍କ୍’ରେ ଦେଖିବାକୁ ମିଳିଥିଲା । ଏହାପରେ ନେଟଫ୍ଲିକ୍ସରେ ‘ଦି ହ୍ୱାଇଟ୍ ଟାଇଗର’ରେ ସେ ନଜର ଆସିଥିଲେ । ଏବେ ଦିର୍ଘ ଦିନର ବ୍ୟବଧାନ ପରେ ସେ ଭାରତୀୟ ସିନେମାରେ ପୁଣିଥରେ ନଜର ଆସିବାନେଇ ଅପେକ୍ଷା କରି ବସିଛନ୍ତି ଦେଶୀଗର୍ଲଙ୍କ ଫ୍ୟାନ୍ସ ।