ଛତିଶଗଡ ସୀମାନ୍ତ ଧମତରୀ ପୋଲିସକୁ ପୁଣି ଏକ ସଫଳତା ମିଳିଛି। ଶୁକ୍ରବାର ଦୁଇ ଜଣ ହାର୍ଡକୋର ମାଓବାଦୀ ଦମ୍ପତି ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ଆଜି ପୁଣି ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ୫ ଲକ୍ଷ ଲେଖାଏଁ ପୁରସ୍କାର ଘୋଷିତ ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି।
ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଅଞ୍ଜନେୟ ବୈଷ୍ଣବଙ୍କ ସମ୍ମୁଖରେ ଏହି ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ମାଓ ସଂଗଠନର ଆଗଧାଡିର ନେତା ଟିକେଶ ଓରଫ ଟିକେଶ୍ବର ବଟ୍ଟି ଏବଂ ତାଙ୍କ ପତ୍ନୀ ପ୍ରମିଳା ଓରଫ ଗଣେଶୀ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ପୂର୍ବଭଳି ମାଓବାଦୀ ମାନେ ଆଉ ଉପଦ୍ରବ ସୃଷ୍ଟି କରିପାରୁ ନାହାନ୍ତି ବରଂ ଏମାନେ ସରକାରଙ୍କ ବିକାଶମୂଳକ ଯୋଜାନାରେ ପ୍ରଭାବିତ ହୋଇ ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି। ଏହି କ୍ରମରେ ଆଜି ଏହି ନକ୍ସଲ ଦଂପତି ଆତ୍ମସମର୍ପଣ କରିଛନ୍ତି।
ସୂଚନା ଥାଉ କି ଟିକେଶ୍ବର ଗତ ୨୦୦୯ ମସିହାରେ ମାଓ ସଂଗଠନରେ ସାମିଲ ହୋଇଥିଲା। ଟିକେଶ୍ବର ନାମରେ ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ସେହିପରି ପ୍ରମିଳା ମଧ୍ୟ ୨୦୦୯ରେ ମାଓ ସଂଗଠନରେ ସାମିଲ ହୋଇ ଆଗଧାଡିର ନେତ୍ରୀ ବନିଥିଲା। ତାଙ୍କ ନାମରେ ମଧ୍ୟ ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।
ପୋଲିସ ରିପୋର୍ଟ ଅନୁଯାୟୀ ଏମାନେ ପୋଲିସ ଉପରେ ଆକ୍ରମଣ, ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବା, ନିରୀହ ଲୋକଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିବା ଭଳି କାମରେ ନିୟୋଜିତ ଥିଲେ। ତେବେ ସଂଗଠନରେ ବିବାହ କରିବାକୁ ମନା ଥିବାରୁ ଏମାନେ ଲୁଚି ଛପି ବିବାହ କରିଥିଲେ ମଧ୍ୟ ଦୁହେଁ ଏକତ୍ର ରହିପାରୁନଥିଲେ। ସଂଗଠନର କ୍ୟାଡର ନକ୍ସଲମାନେ ସବୁବେଳେ ଭେଦଭାବ ଦେଖାଇବା, ନିର୍ଯାତନା ଦେବା ଭଳି କାର୍ଯ୍ୟ କରୁଥିବାରୁ ଏମାନେ ବର୍ତ୍ତମାନ ମାଓ ସଂଗଠନ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖୁସିରେ କଟାଇବାକୁ ମନସ୍ଥ କରି ଆତ୍ମସମର୍ପଣ କରିଥିବା କହିଛନ୍ତି। ଏମାନଙ୍କୁ ସରକାରଙ୍କ ତରଫରୁ ୨୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୋଲିସ୍ ସୂଚନା ଦେଇଛି ।