ଅମରାବତୀ: ତିରୁପତିର ପ୍ରସାଦ ଭାବେ ଦିଆଯାଉଥିବା ପ୍ରସିଦ୍ଧ ଲଡୁରେ ପଶୁର ଚର୍ବି ବ୍ୟବହାର କରାଯାଉଥିବା ବିବାଦ ସୁପ୍ରିମକୋର୍ଟରେ ଯାଇ ପହଞ୍ଚିଛି । ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ସୋମବାର ଏହି ବିବାଦର ଶୁଣାଣି ହେବ । ସୁପ୍ରିମକୋର୍ଟରେ ଏହି ଯାଚିକା ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଓ ପୂର୍ବତନ ତିରୁପତି ତିରୁମାଲା ଦେବସ୍ଥାନମର ଅଧ୍ୟକ୍ଷ ୱାଇଭି ସୁବା ରେଡ୍ଡୀ ଦ୍ୱାରା ଦାୟର କରାଯାଇଛି । ସୁବା ରେଡ୍ଡୀ ୱାଇଏସଆର କଂଗ୍ରେସ ପାର୍ଟିର ରାଜ୍ୟସଭା ସାଂସଦ ।
ଆନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ନିକଟରେ ଅଭିଯୋଗ କରିଥିଲେ ଯେ, ରଜ୍ୟରେ ପୂର୍ବର ସରକାରରେ ତିରୁପତି ମନ୍ଦିରରେ ଲଡୁରେ ନିମ୍ନମାନର ସାମଗ୍ରୀ ଏବଂ ପଶୁ ଚର୍ବିର ବ୍ୟବହାର କରାଯାଇଥିଲା । ଏହି ଅଭିଯୋଗ ପରେ ଦେଶରେ ବଡ ବିବାଦ ସୃଷ୍ଟି ହୋଇଛି । କୋଟି କୋଟି ହିନ୍ଦୁଙ୍କ ଭାବାବେଗ ପ୍ରତି ଆଘାତ ଲାଗିଛି ।
ଏବେ ସୁବ୍ରମଣ୍ୟମ ସ୍ୱାମୀ ଓ ସୁବା ରେଡ୍ଡୀ ଉଭୟ ସୁପ୍ରିମକୋର୍ଟରେ ମାମଲାର ତଦନ୍ତ କୋର୍ଟଙ୍କ ତତ୍ୱାବଧାନରେ କରାଯିବାକୁ ଦାବି କରିଛନ୍ତି । ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଚଳିତ ସପ୍ତାହରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଲଡୁର ଫରେନ୍ସିକ ଯାଞ୍ଚ କରିବାକୁ ବିଜେପି ନେତା ଦାବି କରିଛନ୍ତି । ଏହା ଉପରେ ସୋମବାର ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି ସୁପ୍ରିମକୋର୍ଟ ।