ନିକଟରେ ବିହାରର ନବମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ନୀତୀଶ କୁମାରଙ୍କ ପାଇଁ ସୋମବାର ଦିନ ବିହାର ବିଧାନସଭାରେ ହୋଇଛି ଫ୍ଲୋର ଟେଷ୍ଟ । ଆରଜେଡି ଛାଡି ବିଜେପି ସହଯୋଗରେ ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ ଆସ୍ଥା ଭୋଟରେ ବିଜୟୀ ହେଲେ ବିଦ୍ଧିବଦ୍ଧ ଭାବେ ସରକାର ଗଢିବେ ନୀତୀଶ କୁମାର। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୧୨୨ ଆସନ ଆବଶ୍ୟକ ହୋଇଥିବା ବେଳେ ବିଜେପି-ଜେଡିୟୁ ମେଣ୍ଟ ପାଖରେ ୧୨୮ ସଦସ୍ୟ ଥିବା ସୂଚନା ମିଳିଛି।
ନୀତୀଶ କୁମାର ଓ ବିହାର ରାଜନୀତି ପାଇଁ ଆଜିର ଦିନ ବେଶ୍ ମହତ୍ତ୍ୱପୂର୍ଣ୍ଣ। ବିହାର ବିଧାନସଭାରେ ଆଜି ଶକ୍ତି ପରୀକ୍ଷା ଦେବେ ନୀତୀଶ ସରକାର। ବିଧାନସଭା ପ୍ରକ୍ରିୟା ଜାରି ରହିଛି। ସମସ୍ତ ଦଳର ବିଧାୟକ ଗୃହରେ ପହଞ୍ଚିଛନ୍ତି। ଏହାରି ଭିତରେ ଇସ୍ତଫା ଦେଇଛନ୍ତି ବାଚସ୍ପତି ଅବଧ ବିହାରୀ ଚୌଧୁରୀ। ତାଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଅଣାଯିବା ପରେ ସେ ପଦ ଛାଡିଛନ୍ତି।
ନୀତୀଶ କୁମାରଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ପରେ ତାଙ୍କୁ ବାଚସ୍ପତି ପଦରୁ ହଟାଇବା ପାଇଁ ଏକ ପ୍ରସ୍ତାବ ଅଣାଯାଇଥିଲା, ଏହା ସତ୍ତ୍ୱେ ସେ ଏହି ପଦରୁ ଇସ୍ତଫା ଦେବେ ନାହିଁ ବୋଲି କହିଥିଲେ। ତେବେ ସୋମବାର ଏହି ପ୍ରସ୍ତାବ ଉପରେ ଆଲୋଚନା କରିବା ପରେ ସେ ବାଚସ୍ପତିଙ୍କ ଚେୟାର ଛାଡିଛନ୍ତି। ଅବଧ ଚୌଧୁରୀଙ୍କୁ ୧୨୫ ବନାମ ୧୧୨ ଭୋଟ୍ରେ ବାଚସ୍ପତି ପଦରୁ ହଟାଇ ଦିଆଯାଇଛି। ତାଙ୍କ ପରେ ବିଧାନସଭାର ଉପ ବାଚସ୍ପତି ମହେଶ୍ୱର ହଜାରୀ ଗୃହର ପ୍ରକ୍ରିୟା ପରିଚାଳନା କରିଛନ୍ତି।
ସୂଚନାଯୋଗ୍ୟ ଯେ, ଜାନୁଆରୀ ୨୮ ତାରିଖ ଦିନ ପୁଣି ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ନୀତୀଶଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ବିହାର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦୁଇ ବରିଷ୍ଠ ବିଜେପି ବିଧାୟକ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ।
ଅଧିକ ପଢନ୍ତୁ: ୧ ଲକ୍ଷଙ୍କୁ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦୀ