ସୋମବାର ଦିନ ଦେଶବ୍ୟାପୀ ୧୨ତମ ରୋଜଗାର ମେଳାରେ ୧ ଲକ୍ଷରୁ ଅଧିକ ନବନିଯୁକ୍ତ ସରକାରୀ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି। ପୂର୍ବାହ୍ନ ସାଢେ ୧୦ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ନବ ନିଯୁକ୍ତ କର୍ମଚାରୀଙ୍କୁ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟଯେ, ଦେଶର ୪୭ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହୋଇଥିବା ବେଳେ ଏହି ମେଳା ଜରିଆରେ କେନ୍ଦ୍ର ସରକାରଙ୍କ ବିଭାଗ ଏବଂ ରାଜ୍ୟ ସରକାର/କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ପ୍ରଦାନ କରାଯାଇଛି। ଦେଶବ୍ୟାପୀ ଚୟନ ହୋଇଥିବା ନବ ନିଯୁକ୍ତ କର୍ମଚାରୀମାନେ ରାଜସ୍ୱ ବିଭାଗ, ଆଣବିକ ଶକ୍ତି ବିଭାଗ, ଗୃହ ମନ୍ତ୍ରଣାଳୟ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ରେଳ ମନ୍ତ୍ରଣାଳୟର ବିଭିନ୍ନ ପଦବୀରେ ଯୋଗ ଦେବେ।ଦେଶରେ ରୋଜଗାର ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ରୋଜଗାର ମେଳାର ଆୟୋଜନ କରାଯାଇଥିଲା। ଏହାଦ୍ୱାରା ଅଧିକ ନିଯୁକ୍ତି ସୃଷ୍ଟି ହେବ ସହ ନିଯୁକ୍ତି ଆଶାୟୀ ଯୁବକ ଯୁବତୀମାନଙ୍କୁ ଯଥାର୍ଥ କର୍ମ ସଂସ୍ଥାନ ଯୋଗାଇ ସେମାନଙ୍କୁ ସଶକ୍ତ କରାଯାଇ ପାରିବ । IOGT କର୍ମଯୋଗୀ ପୋର୍ଟାଲର ଏକ ଅନଲାଇନ୍ ମଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା ସରକାରୀ କର୍ମଚାରୀମାନେ ନିଜକୁ ପ୍ରଶିକ୍ଷଣ ଦେବାର ସୁଯୋଗ ପାଉଛନ୍ତି, ଯେଉଁଥିରେ 'ଯେକୌଣସି ସ୍ଥାନରେ ଯେକୌଣସି ଡିଭାଇସ୍' ଶିକ୍ଷଣ ଫର୍ମାଟ ପାଇଁ ୮୮୦ରୁ ଅଧିକ ଇ-ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି ।
ଗତବର୍ଷ ନଭେମ୍ବର ମାସରେ ୧୧ତମ ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା । ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୩୭ଟି ସ୍ଥାନରେ ରୋଜଗାର ମେଳା ଆୟୋଜିତ ହୋଇଥିବା ବେଳେ ପ୍ରାୟ ୫୧୧୫୬ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ପରିପ୍ରେକ୍ଷୀରେ ଓଡ଼ିଶାରୁ ୨୦୩ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଅକ୍ଟୋବର ମାସରେ ୧୦ତମ ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା ବେଳେ ଏହା ଅଧୀନରେ ସରକାରୀ ବିଭାଗ ଏବଂ ବିଭିନ୍ନ ଅନୁଷ୍ଠାନରେ ପ୍ରାୟ ୫୧୦୦୦ ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ ପ୍ରଧାନମନ୍ତ୍ରୀ । ଓଡିଶାରୁ ୧୬୦ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୧୨ତମ ରୋଜଗାର ମେଳାରେ ଏକ ଲକ୍ଷ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଯୁକ୍ତ ପତ୍ର ବାଣ୍ଟିବା ପରେ ନବନିଯୁକ୍ତଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ । "ଆପଣ କଠିନ ପରିଶ୍ରମ କରି ଏହି ସଫଳତା ହାସଲ କରିଛନ୍ତି । ସମସ୍ତ ନବନିଯୁକ୍ତ ଓ ସେମାନଙ୍କ ପରିବାରକୁ ମୁଁ ଅଭିନନ୍ଦନ ଜଣାଉଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।"
ଅଧିକ ପଢନ୍ତୁ: ଆଜି ବିଜେପି ରାଜ୍ୟ ପଦାଧିକାରୀ ବୈଠକ