ନୂଆଦିଲ୍ଲୀ: କୋଲକାତାରେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରି ଏହାର ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ । ଆଜି ଶୁଣାଣି ସମୟରେ ସୁପ୍ରିମକୋର୍ଟ ସିବିଆଇକୁ ସଦ୍ୟତମ ରିପୋର୍ଟ ଦେବାକୁ କହିଛନ୍ତି । ଏହା ବ୍ୟତୀତ ସିଜେଆଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେବି ପାରଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ପୀଠ ପଶ୍ଚିମବଙ୍ଗ ପୋଲିସକୁ ମୃତ ଡାକ୍ତରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ଶୁଣାଣି ସମୟରେ ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ୱିକିପିଡିଆକୁ ମୃତ ଟ୍ରେନି ଡାକ୍ତରଙ୍କ ନାମ ଓ ଫଟୋ ହଟାଇବାକୁ ଆଦେଶ ଦେଇଛନ୍ତି ।
କୋର୍ଟ କହିଛନ୍ତି, ଦୁଷ୍କର୍ମ ପୀଡିତାଙ୍କ ପରିଚୟକୁ ସାର୍ବଜନୀନ କରାଯିବା ଉଚିତ୍ ନୁହେଁ । ପୀଡିତାଙ୍କ ବାପା-ମାଆଙ୍କ ଓକିଲ କୋର୍ଟରେ ଜଣାଇଛନ୍ତି ଯେ, ୱିକିପିଡିଆ ନାମ ଏବଂ ଫଟୋ ହଟାଇବାକୁ ମନା କରି ଦେଇଛି । ସିଜେଆଇ ଚନ୍ଦ୍ରଚୂଡ ୱିକିପିଡିଆକୁ ପୀଡିତାଙ୍କ ଫଟୋ ଏବଂ ନାଁ ହଟାଇବାକୁ ଆଦେଶ ଦେଇଛନ୍ତି ।
ସଲିସିଟର ଜେନେରାଲ କହିଛନ୍ତି, ପୀଡିତାଙ୍କ ଏକ ଖାସ୍ ହେୟାର ଷ୍ଟାଇଲ ରହିଥିଲା, ଯାହାକୁ ଅନେକ ପ୍ଲାଟଫର୍ମରେ ଦେଖା ଯାଉଛି । କୋର୍ଟ କହିଛନ୍ତି, ପୀଡିତାଙ୍କ ନାଁ ଏବଂ ପରିଚୟ କଦାପି ଉଜାଗର କରନ୍ତୁ ନାହିଁ । ଅନ୍ୟପଟେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ହାଜର କପିଲ ସିବଲ କହିଛନ୍ତି ଏହି ଶୁଣାଣିର ଲାଇଭ ଷ୍ଟ୍ରିମିଂ ରୋକି ଦେବା ଉଚିତ୍ । ସେ କହିଛନ୍ତି, ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷ ରଖୁଥିବା ଓକିଲଙ୍କୁ ସାମାଜିକ ଗଣମାଧ୍ୟମରେ ଦୁଷ୍କର୍ମ ଓ ଏସିଡ ଆକ୍ରମଣ କରିବାକୁ ଧମକ ଦିଆଯାଉଛି ।
ସିଜେଆଇ ଚନ୍ଦ୍ରଚୂଡ କହିଛନ୍ତି, ଏହା ଏକ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ । ଏଥିପାଇଁ ଏହାର ଲାଇଭ ଷ୍ଟ୍ରିମିଂ ବନ୍ଦ କରାଯାଇ ପାରିବ ନାହିଁ । ଯଦି କାହା ପ୍ରତି କିଛି ବିପଦ ରହିଛି ତେବେ ଆବଶ୍ୟକ ପଦକ୍ଷେପ ନିଆଯିବ । ସୁପ୍ରିମକୋର୍ଟ କହିଛନ୍ତି, ସମସ୍ତ ସାମାଜିକ ଗଣମାଧ୍ୟମରୁ ପୀଡିତାଙ୍କ ଫଟୋ ତୁରନ୍ତ ହଟାଯାଉ । ଏହା ବ୍ୟତୀତ ସିବିଆଇ ଆଜି ସୁଦ୍ଧା ତଦନ୍ତର ସଦ୍ୟତମ ରିପୋର୍ଟ ଦାଖଲ କରୁ ।