ନୂଆଦିଲ୍ଲୀ: ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାତ୍ରା କରୁଥିବା ବିମାନ ଅଚାନକ ପ୍ରବଳ ଝଡ଼ କାରଣରୁ ମଝି ଆକାଶରେ ଦୋହଲିବାରେ ଲାଗିଥିଲା। ସ୍ଥିତିକୁ ଜାଣିପାରି ପାଇଲଟ୍ ଲାହୋର ଏଟିଏସ ସହ ଯୋଗାଯୋଗ କରି ପାକିସ୍ତାନର ବିମାନ ବନ୍ଦରରେ ଅବତରଣ କରିବାକୁ ଅନୁମତି ମାଗିଥିଲେ। ମାତ୍ର ପାକିସ୍ତାନ ଏଟିଏସ ଅନୁମତି ଦେଇ ନ ଥିଲା। ଶେଷରେ ପାଇଲଟ୍ ବିମାନକୁ ଶ୍ରୀନଗର ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରାଇବାରେ ସଫଳ ହୋଇଥିଲେ।
ସୂଚନା ଅନୁଯାୟୀ, ଗୁରୁବାର ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋର ବିମାନ 6E2142 ଅଚାନକ ପାଣିପାଗ ବିଗିଡ଼ିବା କାରଣରୁ ଆକାଶରେ ଦୋହଲିବାରେ ଲାଗିଲା। ଏହି ସମୟରେ ପାଇଲଟ୍ ଲାହୋର ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ପାକିସ୍ତାନୀ ବାୟୁ କ୍ଷେତ୍ରରେ ବିମାନକୁ ନେବା ପାଇଁ ଅନୁମତି ମାଗିଥିଲେ। ମାତ୍ର ଲାହୋର ଏଟିଏସ ପାଇଲଟ୍ଙ୍କ ଅନୁରୋଧକୁ ଅସ୍ଵୀକାର କରିଥିଲା। ଏହି ଘଟଣାର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ ତଦନ୍ତ କରାଯାଉଛି।
ବିମାନରେ ଟିଏମସିର ସାଂସଦଙ୍କ ସମେତ ୨୨୦ରୁ ଅଧିକ ଯାତ୍ରୀ ଥିଲେ। ବିମାନ ଶ୍ରୀନଗର ବିମାନ ବନ୍ଦରରେ ଅବତରଣ ପରେ ଏୟାରପୋର୍ଟର ଦଳ ଯାତ୍ରୀଙ୍କ ସ୍ଥିତି ପଚାରି ବୁଝିଥିଲେ।
ବିମାନରେ ତୃଣମୂଳ କଂଗ୍ରେସର ପାଞ୍ଚ ସଦସ୍ୟଙ୍କ ପ୍ରତିନିଧି ମଣ୍ଡଳରେ ଡେରେକ ଓ ବ୍ରାୟନ, ନାଦିମୁଲ ହକ, ସାଗରିକା ଘୋଷ, ମାନସ ଭୁନିଆ ଓ ମମତା ଠାକୁର ସାମିଲ ଥିଲେ। ଘୋଷ କହିଛନ୍ତି, ମୃତ୍ୟୁର ନିକଟତର ହେଉଥିବା ଅନୁଭବ କରିଥିଲି। ମୋତେ ଲାଗିଲା ଜୀବନ ଏଠାରେ ହିଁ ସମାପ୍ତ ହୋଇଗଲା। ଲୋକେ ଭୟରେ ଚିତ୍କାର କରୁଥିଲେ, ପ୍ରାର୍ଥନା କରିବା ସହ ଭୟରେ ଥରୁଥିଲେ।
ସେ କହିଛନ୍ତି ଉକ୍ତ ପାଇଲଟଙ୍କୁ ସଲାମ,ଯିଏ ଆମକୁ ଏମିତି କଠିନ ସ୍ଥିତିରେ ସୁରକ୍ଷିତ ପହଞ୍ଚାଇଛନ୍ତି। ଯେବେ ଆମେ ଓହ୍ଲାଇଲୁ ବିମାନର ଆଗ ଭାଗ ଉଡ଼ି ଯାଇଥିଲା। ବିମାନ ଅବତରଣ ପରେ ପ୍ରତିନିଧିମଣ୍ଡଳ ପାଇଲଟ୍ଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି।