ବଲାଙ୍ଗୀର: ଆଜି ସକାଳୁ ସକାଳୁ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୁବର୍ଣ୍ଣପୁର-ବଲାଙ୍ଗୀର ରାସ୍ତାର ହରଡ଼ଖୋଲ ନିକଟରେ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ହେବାସହିତ ଏକାଧିକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଏକ ବ୍ୟାଣ୍ଡପାର୍ଟି ଗାଡ଼ି ବୌଦ୍ଧ ଜିଲ୍ଲା ମନମୁଣ୍ଡାରୁ କଳାହାଣ୍ଡିକୁ ଫେରୁଥିବା ସମୟରେ ବଲାଙ୍ଗୀର ରାସ୍ତାର ହରଡ଼ଖୋଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଏକାଧିକ ଆହତ ମଧ୍ୟ ହୋଇଛନ୍ତି । ଏନେଇ ସ୍ଥାନୀୟ ଲୋକେ ଉଦ୍ଧାରକାରୀ ଦଳ ଓ ସୋନପୁର ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ସେମାନେ ଘଟଣାସ୍ଥଳରେ ପହଞ୍ଚି ମୃତକ ଓ ଆହତଙ୍କୁ ଉଦ୍ଧାର କରିଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ଦ୍ବୟ ବରଗଡ଼ ଜିଲ୍ଲା ତୁରା ଗ୍ରାମର ମଣ୍ଟୁ ଛତ୍ରିଆ ଓ ମାଷ୍ଟରଟିକରା ଗାଁର ସୁଦାମ ସିକା ବୋଲି ପରିଚୟ ମିଳିଛି । ଏହି ଘଟଣା ପରେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ସୋନପୁର ପୋଲିସ ଘଟଣାର ତଦନ୍ତ ଜାରି କରିଛି । କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ଅସ୍ପଷ୍ଟ ରହିଛି । ଗାଡ଼ି ଚାଳକର ଅସାବଧନତା ନା ଆଉ କିଛି ଯୋଗୁଁ ଦୁର୍ଘଟଣା ଘଟିଲା ପୋଲିସ ତଦନ୍ତ ଜାରି ରଖିଛି ।