ଭୁବନେଶ୍ୱର: ଗ୍ରୀଷ୍ମ ଋତୁରେ ଆମ୍ବର ଚାହିଦା ବଢ଼ିଯାଇଥାଏ । ଆମ୍ବ ଦେଖିବା ପାଇଁ ଯେତିକି ମନଲୋଭା ହୋଇଥାଏ ଖାଇବା ପାଇଁ ମଧ୍ୟ ସେତିକି ସ୍ୱାଦିଷ୍ଟ ହୋଇଥାଏ । ଆଗକୁ ସାବିତ୍ରୀ ଓଷା ଓ ରଜ ପର୍ବ ଆସୁଥିବାରୁ ବଜାରରେ ଭଳିକି ଭଳି ଆମ୍ବର ପସରା ଦେଖିବାକୁ ମିଳିଛି । କିନ୍ତୁ ବଜାରରେ ବିକ୍ରି ହେଉଥିବା ଆମ୍ବରେ ବ୍ୟବସାୟୀମାନେ କ୍ୟାଲସିୟମ୍ କାର୍ବାଇଡ ଆମ୍ବକୁ ପଚାଇବା ପାଇଁ ବ୍ୟବହାର କରୁଛନ୍ତି । ଯାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ସେଥିପାଇଁ ସମସ୍ତ ଫଳ ବ୍ୟବସାୟୀଙ୍କୁ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହାର କରି କୃତିମ ଉପାୟରେ ଫଳକୁ ନ ପଚାଇ ପ୍ରାକୃତିକ ଉପାୟରେ ଫଳକୁ ପଚାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ରାସାୟନିକ ପଦାର୍ଥ ବ୍ୟବହାର ହୋଇ ପଚା ଯାଇଥିବା ଫଳକୁ ଖାଇଲେ ଆମ ଶରୀରରେ ବହୁ ରୋଗ ସୃଷ୍ଟି ହୋଇଥାଏ । ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟବସାୟୀମାନଙ୍କୁ କ୍ୟାଲସିୟମ କାର୍ବାଇଡ୍ ବ୍ୟବହାର ନ କରିବା ପାଇଁ ନିର୍ଦ୍ଦେଶ ଦିଆଗଲେ ମଧ୍ୟ ସେମାନେ ନିଜ ମନ ମୁତାବକ କାମ କରୁଛନ୍ତି । ଖାଦ୍ୟ ସୁରକ୍ଷା ବିଭାଗ ତୁରନ୍ତ ଏହି ଘଟଣାର ତଦନ୍ତ କରି ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି ।