ଗୋଲାଘାଟ: ଆସାମର ଗୋଲାଘାଟ ଜିଲ୍ଲାର ଦୁସୁତିମୁଖା ଗାଁରେ ଗୁରୁବାର ପ୍ରାୟ ଏକ ହଜାର ଲୋକଙ୍କ ଭିଡ ହିଂସା ଯୋଗୁଁ ରୟାଲ ବେଙ୍ଗଲ ଟାଇଗର (ମହାବଳ ବାଘ) ଆଖି ବୁଜିଛି। ଉତ୍ତଜିତ ଲୋକେ ମହାବଳ ବାଘକୁ ମାରିବା ପରେ ତା'ର ଶରୀରର କିଛି ଅଂଶ କାଟି 'ଟ୍ରଫି' ଭାବରେ ନିଜ ସହିତ ନେଇଯାଇଛନ୍ତି। ଗ୍ରାମବାସୀଙ୍କ ଦାବି ଯେ ଏହି ବାଘଟି ନିକଟରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା, ଯେଉଁଥିରେ ସଂପୃକ୍ତ ଲୋକର ମୃତ୍ୟୁ ଘଟିଥିଲା। ଘଟଣାଟି କାଜିରଙ୍ଗା ଜାତୀୟ ଉଦ୍ୟାନ ଏବଂ ବ୍ୟାଘ୍ର ଅଭୟାରଣ୍ୟରୁ ପ୍ରାୟ ୨୦ କିଲୋମିଟର ଦୂରରେ ଘଟିଥିଲା।
ଗୁରୁବାର ସକାଳ ପ୍ରାୟ ୮-୯ ଟାରେ ଗାଁ ଲୋକେ ମାରଣାସ୍ତ୍ର, ବର୍ଚ୍ଛା ଏବଂ ଲୁହା ରଡ୍ ଧରି ବାଘ ଶିକାର କରିବାକୁ ବାହାରିଥିଲେ। ସେମାନେ ଜଙ୍ଗଲରେ ବାଘଟିକୁ ଘେରିଯାଇ ପିଟିପିଟି ମାରିଦେଇଥିଲେ। ବନ ବିଭାଗ ଅଧିକାରୀଙ୍କ ଅନୁଯାୟୀ ଲୋକମାନେ ବାଘର ଗୋଡ଼, କାନ, ଦାନ୍ତ ଏବଂ ଚର୍ମର କିଛି ଅଂଶ ନେଇଯାଇଛନ୍ତି।
ବାଘ ମୃତ୍ୟୁ ମାମଲାରେ ଏପର୍ଯ୍ୟନ୍ତ ଜଣଙ୍କୁ ଗିରଫ କରାଯାଇ ମାମଲା ରୁଜୁ କରାଯାଇଛି। ବାଘକୁ ବଞ୍ଚାଇବାକୁ ଚେଷ୍ଟା କରିବା ସମୟରେ ତିନି ଜଣ ବନ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ବାଘର ମୃତଦେହ ପୋଷ୍ଟମର୍ଟମ କରାଯାଇଥିଲା ଏବଂ ଶବଦାହ ପାଇଁ ଗୋଲାଘାଟ ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଥିଲା।
ଗୋଲାଘାଟ ଡିଏଫଓ (ଡିଭିଜନାଲ୍ ଫରେଷ୍ଟ ଅଫିସର) ଗୁନଦୀପ ଦାସ କହିଛନ୍ତି ଯେ ବାଘଟି ଗୁଳିରେ ନୁହେଁ ବରଂ ଧାରୁଆ ଅସ୍ତ୍ରରେ ଆଘାତ ଯୋଗୁଁ ମୃତ୍ୟୁବରଣ କରିଛି। ବନ ବିଭାଗ ସୂତ୍ରରୁ ଜଣାପଡିଛି ଯେ ଗାଁ ଲୋକେ ମେ ମାସ ଆରମ୍ଭରୁ ବାଘର ଉପସ୍ଥିତି ବିଷୟରେ ଅବଗତ ଥିଲେ ଏବଂ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିସାରିଛନ୍ତି। ଗୁରୁବାର ସକାଳ ପ୍ରାୟ ୬ଟାରେ ବାଘ ଦେଖିବାର ସୂଚନା ମିଳିବା ପରେ ବାଘର ସନ୍ଧାନ ଆରମ୍ଭ ହୋଇଥିଲା। କାଜିରଙ୍ଗା କ୍ଷେତ୍ର ନିର୍ଦ୍ଦେଶକ ସୋନାଲି ଘୋଷ କହିଛନ୍ତି ଯେ ବାଘଟି କେଉଁଠାରୁ ଆସିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସୂଚନାଯୋଗ୍ୟ, ରୟାଲ ବେଙ୍ଗଲ ଟାଇଗରକୁ ଇଣ୍ଟରନ୍ୟାସନାଲ ୟୁନିଅନ ଫର୍ କଞ୍ଜରଭେସନ ଅଫ୍ ନେଚରର ବିଲୁପ୍ତପ୍ରାୟ ପ୍ରଜାତିଙ୍କ ଲାଲ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏହା ଭାରତର ବନ୍ୟପ୍ରାଣୀ (ସୁରକ୍ଷା) ଆଇନ-୧୯୭୨ ଅନୁଯାୟୀ ପୂର୍ଣ୍ଣ ସୁରକ୍ଷା ଉପଭୋଗ କରେ। ଏହି ଆଇନ ଅନୁଯାୟୀ ବାଘ ଶିକାର, ଚୋରାଚାଲାଣ ଏବଂ ସେମାନଙ୍କ ଶରୀରର ଅଂଶ ବ୍ୟବସାୟ ସମ୍ପୂର୍ଣ୍ଣ ନିଷିଦ୍ଧ।
ଅଧିକ ପଢ଼ନ୍ତୁ: ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ବିଦେଶୀ ବିଦ୍ୟାର୍ଥୀଙ୍କ ପ୍ରବେଶ ବନ୍ଦ କଲେ ଟ୍ରମ୍ପ