କୋଲକାତା: ପଶ୍ଚିମବଙ୍ଗ ସରକାର ଆରଜି କର ହସ୍ପିଟାଲ ମାମଲାରେ ଗତିରୋଧ ଦୂର କରିବା ପାଇଁ ସୋମବାର ପୁଣି ଥରେ ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କ ସହ ବୈଠକ ପାଇଁ ଡକାଇଛନ୍ତି । ଏହି ବୈଠକ ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରେ ରଖାଯାଇଛି । ମୁଖ୍ୟ ସଚିବ ମନୋଜ ପନ୍ତ ମେଲ୍ ପଠାଇ ଜୁନିୟର ଡାକ୍ତରଙ୍କୁ ବୈଠକ ପାଇଁ ଆମନ୍ତ୍ରିତ କରିଛନ୍ତି । ସେଥିରେ ଲେଖା ହୋଇଛି, ଏହା ପଞ୍ଚମ ଏବଂ ଶେଷ ଥର ଆପଣମାନଙ୍କୁ ବୈଠକ ପାଇଁ ଡକାଯାଉଛି ।
ପୂର୍ବରୁ ଚାଲି ଆସିଥିବା ଆମର ଆଲୋଚନାକୁ ଜାରି ରଖିବା ପାଇଁ ଆମେ ପୁଣି ଥରେ ଆପଣଙ୍କୁ ଆମନ୍ତ୍ରିତ କରୁଛୁ । ମୁଖ୍ୟମନ୍ତ୍ରୀଙ୍କ କାଲିଘାଟ ବାସଭବନକୁ ଆସନ୍ତୁ ଏବଂ ମନ ଖୋଲି ଆଲୋଚନା ହେବ । ଅନ୍ୟପଟେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟାଳୟ ବାହାରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଅଷ୍ଟମ ଦିନରେ ଜାରି ରହିଛି । ଏହା ସହିତ ଲଗାତାର ୩୬ ଦିନ ହେବ ଡାକ୍ତରଙ୍କ କାମ ବନ୍ଦ ରହିଛି ।
ମୁଖ୍ୟ ସଚିବ ଚିଠିରେ ଲେଖିଛନ୍ତି, ଏହି ବୈଠକର ନା ଭିଡିଓଗ୍ରାଫି ହେବ ନା ଲାଇଭ ଷ୍ଟ୍ରିମିଂ ହେବ । ଆମକୁ ଭରସା ଯେ, ପରସ୍ପର ସହମତି ଆଧାରରେ ବିନା ସିଧା ପ୍ରସାରଣରେ ବୈଠକ ହେବ । କାରଣ ମାମଲା ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରଧୀନ ରହିଛି । ଏଥିପାଇଁ ଏମିତି ସିଧା ପ୍ରସାରଣ କରିବା ଠିକ୍ ହେବ ନାହିଁ । ବୈଠକ ନେଇ ସବୁ ପ୍ରସ୍ତୁତି ହେବ ଏବଂ ଉଭୟ ପକ୍ଷ ସେଥିରେ ଦସ୍ତଖତ କରିବେ । ଏହା ମଧ୍ୟ କୁହାଯାଇଛି ଗତ ଥର ଡାକ୍ତରଙ୍କ ଯେଉଁ ପ୍ରତିନିଧି ଦଳ ଆଲୋଚନା ପାଇଁ ଆସିଥିଲେ ସେହି ସମାନ ପ୍ରତିନିଧି ଦଳ ଆଜି ବୈଠକକୁ ଆସନ୍ତୁ । ଆମର ଅନୁରୋଧ ଆପଣମାନେ ଆଜି ସନ୍ଧ୍ୟା ୪ଟା ୪୫ ମିନିଟରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚନ୍ତୁ ।