ସିବିଆଇ ପରି ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ତଦନ୍ତ ପ୍ରକ୍ରିୟା ସମୟରେ ବ୍ୟକ୍ତିଗତ ଗୋପନୀୟତା ଅଧିକାର ସହ ସମ୍ପୃକ୍ତ କ୍ଷେତ୍ର ଓ ଜବତ କ୍ଷମତା ବ୍ୟାପାର ମଧ୍ୟରେ ଏକ ସୂକ୍ଷ୍ମ ସନ୍ତୁଳନ ଗ୍ରହଣ କରିବାର ଆବଶ୍ୟକତା ରହିଛି । ସାଂପ୍ରତିକ ସ୍ଥିତିରେ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସିଗୁଡିକ ଦ୍ୱାରା ଯେଭଳି ଧରପଗଡ଼ ଚାଲିଛି ତାହା ରାଜନୈତିକ ମହଲରେ ଏକ ପ୍ରକାର ଭୟ ଏବଂ ନୈରାଶ୍ୟର ବାତାବରଣ ସୃଷ୍ଟି କରିଛି । ବିଭିନ୍ନ ମାମଲାରେ ଚଢଉ, ଜବତ, ଯାଞ୍ଚ ଏବଂ ଗିରଫଦାରୀକୁ ନେଇ ମାହୋଲ ବିଗିଡିଛି । କିନ୍ତୁ ଯେକୌଣସି ମାମଲାରେ ତଦନ୍ତ ବେଳେ ଅବଶ୍ୟମ୍ଭାବୀ ଯାଞ୍ଚ ସହିତ ଜଣଙ୍କର ବ୍ୟକ୍ତିଗତ ଅଧିକାର ମଧ୍ୟରେ ସନ୍ତୁଳନ ରଖାଯିବା ଦରକାର । ଏହାବ୍ୟତୀତ ରାଷ୍ଟ୍ର ସୁରକ୍ଷା ଏବଂ ଦେଶର ଅର୍ଥ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଥିବା ମାମଲାଗୁଡିକୁ କେନ୍ଦ୍ରୀୟ ଏଜେନ୍ସି ଅଗ୍ରାଧିକାର ଦେଇ ତଦନ୍ତ କରିବା ଉଚିତ । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଏହି ଦିଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ସୋମବାର ସିବିଆଇର ପ୍ରତିଷ୍ଠା ଦିବସରେ ଆୟୋଜିତ ଡି ପି କୋହିଲି ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ଯୋଗ ଦେଇ ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି, ଆଜି ଦେଶର ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥା କେବଳ ସେହି ମାମଲାଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ ଯେଉଁଥିରେ ଜାତୀୟ ସୁରକ୍ଷା ଓ ଦେଶ ବିରୋଧୀ ଅପରାଧ ଜଡ଼ିତ ରହିଛି । ଦୁର୍ନୀତି ନିବାରଣ ପାଇଁ ସିବିଆଇର ପ୍ରମୁଖ ଭୂମିକା ରହିଛି । କିନ୍ତୁ ଏବେ ବିଭିନ୍ନ ଅପରାଧିକ ମାମଲାର ତଦନ୍ତ କରିବାକୁ ସିବିଆଇକୁ କୁହାଯାଉଛି। ଫଳରେ ଏହି ଦାୟିତ୍ୱ ଠିକ ଭାବେ ସମ୍ପାଦନ କରିବାକୁ ଏଜେନ୍ସିକୁ ଅତିରିକ୍ତ ଗୁରୁଦାୟିତ୍ୱ ନିର୍ବାହ କରିବାକୁ ପଡ଼ୁଛି । କେବଳ ସିବିଆଇ ନୁହେଁ ,ସୀମିତ ପରିସର ହେତୁ ସବୁ ଅନୁସନ୍ଧାନକାରୀ ଏଜେନ୍ସି କେବଳ ଜାତୀୟ ସୁରକ୍ଷା ସହ ଜଡ଼ିତ ମାମଲା ଏବଂ ଦେଶ ବିରୋଧୀ ଆର୍ଥିକ ଅପରାଧ ସହ ଜଡ଼ିତ ମାମଲା ଉପରେ ଗୁରୁତ୍ବ ଦେବା ଉଚିତ ବୋଲି ସିଜେଆଇ କହିଛନ୍ତି ।
ଅଧିକ ପଢ଼ନ୍ତୁ : କଂଗ୍ରେସର ସାଂସଦୀୟ ପ୍ରାର୍ଥୀ ହେବେକି ମନୋଜ!