ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପଞ୍ଜାବ ପୋଲିସର କୋଟି ପତି ଅଧିକାରୀଙ୍କୁ ଶୁକ୍ରବାର ଗିରଫ କରିଛି । ଡିଆଇଜି ହରଚରଣ ସିଂ ଭୁଲ୍ଲର ଲାଞ୍ଚ ନେବା ଅଭିଯୋଗରେ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି । ପଞ୍ଜାବ ଓ ଚଣ୍ଡିଗଡ଼ର ବିଭିନ୍ନ ସ୍ଥାନରେ ଚଢ଼ଉ ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଏକ ମାମଲାରେ ଡିଆଇଜି ହରଚରଣ ନିଜ ସହଯୋଗୀଙ୍କ ଦ୍ୱାରା ଲାଞ୍ଚ ମାଗି ଧରାପଡ଼ିଥିଲେ । ଅଭିଯୋଗ ଆସିବା ପରେ ଡିଆଇଜିଙ୍କର ଏକାଧିକ ସ୍ଥାନରେ ଚଢ଼ଉ ହୋଇଥିଲା । ପଞ୍ଜାବ, ଚଣ୍ଡିଗଡ଼, ଛତିଶଗଡ଼ରେ ଥିବା ଘରେ ନିଜର କଳାଧନକୁ ସାଇତି ରଖିଥିଲେ । ଯାଞ୍ଚ ବେଳେ ତାଙ୍କ ଛତିଶଗଡ଼ସ୍ଥିତ ବାସଭବୱରୁ ସାଢ଼େ ୭ କୋଟି ନଗଦ ଟଙ୍କା, ଅଢ଼େଇ କିଲୋଗ୍ରାମ ସୁନା ଅଳଙ୍କାର, ୨୬ଟି ଦାମୀ ଘଣ୍ଟା ଯେଉଁଥିରେ ରୋଲେକ୍ସ ଓ ରାଡୋ ଭଳି ବ୍ରାଣ୍ଡ୍ ରହିଛି, ଏସବୁ ଜବତ ହୋଇଛି ।
ଏତଦବ୍ୟତୀତ ପରିବାର ସଦସ୍ୟଙ୍କ ନାମରେ ୫୦ରୁ ଅଧିକ ସମ୍ପତ୍ତି, ବ୍ୟାଙ୍କ୍ ଲକର, ସମରାଲାରେ ଥିବା ଫାର୍ମହାଉସରୁ ୧୦୦ କାରତୁସ୍ ଓ ୪ଟି ବନ୍ଧୁକ, ୧୦୮ଟି ମଦ ଭର୍ତ୍ତି ବୋତଲ, ୫.୭ ଲକ୍ଷ ନଗଦ ଟଙ୍କା ମିଳିଛି ।
ଗତ ଅକ୍ଟୋବର ୧୧ ତାରିଖରେ ଡିଆଇଜି ଭୁଲ୍ଲରଙ୍କ ବିରୋଧରେ ଅଭିଯୋଗ ଆସିଥିଲା ଯେ ବଡ଼ ମୋଟା ଅଙ୍କର ଲାଞ୍ଚ ମାଗୁଛନ୍ତି । ଏହା ପରେ ତାଙ୍କୁ ଫସାଇବାକୁ ଏକ ଫର୍ଜି ଏତଲା ଦିଆଯାଇଥିଲା । ଡିଆଇଜି ନିଜେ ପୋଲିସ ହୋଇ ଜାଲରେ ପଡ଼ିଯାଇଥିଲେ । କେବଳ ଏତଲାରେ ହିଁ ମାମଲା ରଫାଦଫା କରିବାକୁ ଡିଆଇଜି ନିଜ ସହଯୋଗୀଙ୍କ ଦ୍ୱାରା ୮ ଲକ୍ଷ ଟଙ୍କା ନେବାକୁ ଦାବି କରିଥିଲେ । ଏହା ପରେ ସିବିଆଇ ତଦନ୍ତ ଆରମ୍ଭ କରିଥିଲା ।