ନୂଆଦିଲ୍ଲୀ: ବିହାର ନିର୍ବାଚନରେ ଏଥର ନୀତିଶ କୁମାର ଓ ଲାଲୁ ପ୍ରସାଦ ଯାଦବଙ୍କ ପରି ନେତାଙ୍କୁ ଟକ୍କର ଦେଉଥିବା ପ୍ରଶାନ୍ତ କିଶୋର ନିଜର ନୂଆ ପାର୍ଟି ଜନ ସୁରାଜକୁ ମଇଦାନକୁ ଓହ୍ଲାଇଛନ୍ତି । ସେ ସବୁ ସିଟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ବର୍ତ୍ତମାନର ବ୍ୟବସ୍ଥା ବିରୋଧରେ ବିଗୁଲ ବଜାଇଛନ୍ତି । କିନ୍ତୁ ପ୍ରଶାନ୍ତ କିଶୋର ନିଜେ ନିର୍ବାଚନ ଲଢିବେ ନାହିଁ । ସେ କହିଛନ୍ତି ଜନ ସୁରାଜ ହୁଏତ ଶୀର୍ଷରେ ରହିବ ନଚେତ୍ ନିମ୍ନରେ ରହିବ ।
ଏନଡିଏ ଓ ମହାମେଣ୍ଟ ପାଇଁ ରାଜନୀତିର ରଣନୀତିଜ୍ଞ ଭାବେ କାମ କରିଥିବା ପ୍ରଶାନ୍ତ କିଶୋର ବିହାରରର ଜାତିଭିତ୍ତିକ ରାଜନୀତିରେ ଲାଲୁ ଓ ନୀତିଶଙ୍କ ସ୍ଥାନ ନେବା ପାଇଁ ପୂରା ଜୋରଦାର ଲାଗି ପଡିଛନ୍ତି । ତେବେ ସବୁଠୁ ବଡ ପ୍ରଶ୍ନ କଣ ନିର୍ବାଚନୀ ମଇଦାନରୁ ଦୂରରେ ରହିବା ତାଙ୍କର ଏହି ନିର୍ଣ୍ଣୟ ତାଙ୍କୁ ଆଗରେ ରଖିବ ନା ଏକ ରଣନୈତିକ ତ୍ରୁଟି ସାବ୍ୟସ୍ତ ହେବ ?
କୁହାଯାଉଥିଲା, ପ୍ରଶାନ୍ତ କିଶୋର ଲାଲୁ ପରିବାରର ପାରମ୍ପରିକ ଗଡ ରାଧୋପୁରରୁ ଆରଜେଡିର ଉତ୍ତରାଧିକାରୀ ତେଜସ୍ୱୀ ଯାଦବଙ୍କ ବିରୋଧରେ ନିର୍ବାଚନ ଲଢିବେ । ଏମିତି ଅଟକଳ ଲଗାଯିବାର କାରଣ ପ୍ରଶାନ୍ତ କିଶୋର ଅନେକ ସମୟରେ ନୀତିଶ କୁମାର କିମ୍ବା ତେଜସ୍ୱୀଙ୍କ ବିରୋଧରେ ନିର୍ବାଚନ ଲଢିବାର ସଙ୍କେତ ଦେଇଥିଲେ । ତେବେ ଏହି ଚର୍ଚ୍ଚା ତେବେ ଶାନ୍ତ ପଡିଲା ଯେବେ ତେଜସ୍ୱୀଙ୍କ ବିରୋଧରେ ଚଞ୍ଚଲ ସିଂଙ୍କୁ ଜନ ସୁରାଜ ପାର୍ଟି ପ୍ରାର୍ଥୀ ଭାବେ ଘୋଷଣା କଲା ।
ପ୍ରଶାନ୍ତ କିଶୋର କାହିଁକି ନିର୍ବାଚନ ଲଢ଼ିବେ ନାହିଁ
ପ୍ରଶାନ୍ତ କିଶୋର କହିଛନ୍ତି ଯେ ଦଳର ସଦସ୍ୟମାନେ ତାଙ୍କୁ ଅନ୍ୟ ଦଳୀୟ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେବାକୁ କହିଥିଲେ, ଯାହା କାରଣରୁ ସେ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆ ସହିତ ଆଲୋଚନା ବେଳେ ରାଜନୈତିକ ବିଶ୍ଳେଷକ କୁମାର ବିଜୟ ପ୍ରଶାନ୍ତ କିଶୋରଙ୍କ ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇ କହିଛନ୍ତି ଯେ ଯଦି ସେ ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ଧ୍ୟାନ ଦିଅନ୍ତି, ତେବେ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସମୟ ଦେଇପାରିବେ ନାହିଁ।
Also read: ଆମେ ଦୀପ-ମହମବତୀ ଉପରେ କାହିଁକି ଖର୍ଚ୍ଚ କରିବା, ଦୀପାବଳି ପୂର୍ବରୁ ଅଖିଳେଶଙ୍କ ବୟାନକୁ ନେଇ ହଙ୍ଗାମା