ଭୋପାଳ: ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ମଧ୍ୟରେ ଏକ ବଡ଼ ରାଜନୈତିକ ବିବାଦ ସାମ୍ନାକୁ ଆସିଛି। କଂଗ୍ରେସ ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ପତ୍ର ରଦ୍ଦ ହେବା ପରେ ରାଜ୍ୟ କଂଗ୍ରେସ ଶିବିରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ଶାସକ ବିଜେପି ଉପରେ ବର୍ଷିଛି କଂଗ୍ରେସ। ଏମ୍ପି କଂଗ୍ରେସ ସଭାପତି ଜିତୁ ପଟୱାରୀ ସିଧାସଳଖ ବିଜେପି ଉପରେ ‘ଆସନ ଡକାୟତି’ର ସଙ୍ଗିନ ଅଭିଯୋଗ ଆଣିଛନ୍ତି। ନାରୀ ସଶକ୍ତୀକରଣ ଓ ମହିଳା ସଂରକ୍ଷଣକୁ ନେଇ ବିଜେପି କେବଳ ଢୋଙ୍ଗ କରୁଛି ବୋଲି ସେ ଗଣମାଧ୍ୟମ ଆଗରେ କହିଛନ୍ତି।
କଂଗ୍ରେସ ପ୍ରଦେଶ ସଭାପତି ଜିତୁ ପଟୱାରୀ କହିଛନ୍ତି ଯେ, ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନକୁ ଆଇନଗତ ଭାବେ ରଦ୍ଦ କରାଯାଇ ପାରିନଥାନ୍ତା, ତେଣୁ ରାଜନୈତିକ ଚାପ ପ୍ରୟୋଗ କରି ଏହାକୁ ଖାରଜ କରାଯାଇଛି। ବିଜେପିର ଏଭଳି କାର୍ଯ୍ୟ ସମଗ୍ର ମଧ୍ୟପ୍ରଦେଶକୁ କଳଙ୍କିତ କରିଛି। ସାମ୍ବିଧାନିକ ସଂସ୍ଥାର ଅପବ୍ୟବହାର କରି ବିଜେପି ଗଣତନ୍ତ୍ରକୁ ହତ୍ୟା କରୁଛି ବୋଲି ସେ କହିଛନ୍ତି। ଏହି ଅନ୍ୟାୟ ବିରୋଧରେ ଆସନ୍ତାକାଲି (ବୁଧବାର) କଂଗ୍ରେସର ସମସ୍ତ ବିଧାୟକ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସାମ୍ନାରେ ଭୁକ ହଡ଼ତାଳରେ ବସିବେ ବୋଲି ସେ ଚେତାବନୀ ଦେଇଛନ୍ତି।
ନାମାଙ୍କନ ରଦ୍ଦ ହେବା ପରେ କ’ଣ କହିଲେ ମୀନାକ୍ଷୀ ନଟରାଜନ ?
ନିଜର ପ୍ରାର୍ଥିପତ୍ର ଖାରଜ ହେବା ପରେ ମୀନାକ୍ଷୀ ନଟରାଜନ ସରକାରଙ୍କ ଉପରେ ପ୍ରତିଶୋଧର ରାଜନୀତି କରୁଥିବା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, "ବିଜେପି ପାଖରେ ପର୍ଯ୍ୟାପ୍ତ ସଂଖ୍ୟାବଳ ନଥାଇ ମଧ୍ୟ ସେମାନେ ତୃତୀୟ ପ୍ରାର୍ଥୀ ଛିଡ଼ା କରିଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସେମାନେ ସମ୍ବିଧାନ ଏବଂ ଗଣତନ୍ତ୍ରକୁ କୁଚଲିବାକୁ ଚାହୁଁଛନ୍ତି। ପୂର୍ବ ନିର୍ବାଚନ ଭଳି ଏଠାରେ ମଧ୍ୟ ଭୋଟ୍ ଚୋରିର ନୂଆ ଫର୍ମୁଲା ଆପଣାଯାଉଛି। କୋର୍ଟର ସମ୍ପୂର୍ଣ୍ଣ ଶୁଣାଣି ବିନା ହିଁ ଏହି ନିଷ୍ପତ୍ତି ଶୁଣାଇ ଦିଆଯାଇଛି।"
କଂଗ୍ରେସ ପକ୍ଷରୁ ମାମଲା ଲଢୁଥିବା ବ୍ୟାଟିଂ ଓକିଲ ଅଜୟ ଗୁପ୍ତା ଏହି ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଓ ଗୁଣ୍ଡାଗର୍ଦ୍ଦି ବୋଲି କହିଛନ୍ତି। ହାଇଦ୍ରାବାଦ କୋର୍ଟରୁ ମୀନାକ୍ଷୀଙ୍କ ନାମରେ ଏକ ନୋଟିସ ଜାରି ହୋଇଥିଲା, ଯାହା ଅପରାଧିକ ଶ୍ରେଣୀଭୁକ୍ତ ନୁହେଁ ଏବଂ ଏହାର ଉତ୍ତର ମଧ୍ୟ ଦିଆଯାଇଥିଲା। କିନ୍ତୁ ରିଟର୍ଣ୍ଣିଂ ଅଫିସର କୌଣସି କଥା ନଶୁଣି ଦାଦାଗିରି କରି ପ୍ରାର୍ଥିପତ୍ର ରଦ୍ଦ କରିଛନ୍ତି। ଏତେ ନାଟକ ନକରି ନିର୍ବାଚନ କମିଶନ ସିଧାସଳଖ ଦିଲ୍ଲୀରୁ ହିଁ ବିଜେପି ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରିଦେବା ଉଚିତ ବୋଲି ସେ କଟାକ୍ଷ କରିଛନ୍ତି।
ବିଜେପି ସମ୍ବିଧାନକୁ ହତ୍ୟା କରୁଛି
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ମଧ୍ୟ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସର ପ୍ରାର୍ଥୀ ଭଗିନୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ରଦ୍ଦ କରାଯିବା ସମ୍ପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ। ଭାରତୀୟ ଜନତା ପାର୍ଟି ଦେଶର ଆଇନ ଓ ବ୍ୟବସ୍ଥାକୁ ଧୂଳିସାତ କରିବାକୁ ବସିଛି। କଂଗ୍ରେସ ଦଳ ଏହି ଅନ୍ୟାୟ ବିରୋଧରେ ରାଜବୀଥିରୁ ଆରମ୍ଭ କରି କୋର୍ଟ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ।