ଭୁବନେଶ୍ୱର : ଆଜି ପବିତ୍ର ଧନତେରସ୍। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, 'ମୋର ସମସ୍ତ ଦେଶବାସୀଙ୍କୁ ଧନତେରସ୍ ର ଅନେକ ଶୁଭକାମନା। ଏହି ପବିତ୍ର ଧନତେରସ୍ ଅବସରରେ ସମସ୍ତଙ୍କ ସୁଖ, ସୌଭାଗ୍ୟ ଓ ସ୍ୱାସ୍ଥ୍ୟ କାମନା କରୁଛି। ଭଗବାନ ଧନ୍ୱନ୍ତରୀ ସମସ୍ତଙ୍କ ଉପରେ ଆଶୀର୍ବାଦ ବର୍ଷା କରନ୍ତୁ।
ସେହିପରି ଧନତେରସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ଯମନ୍ତ୍ରୀ କହିଛନ୍ତି ପବିତ୍ର ଧନତେରସ୍ ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଭଗବାନ ଧନ୍ୱନ୍ତରୀଙ୍କ ଆଶୀର୍ବାଦରୁ ରାଜ୍ୟର ପ୍ରତ୍ୟେକ ପରିବାର ସୁଖ, ଶାନ୍ତି, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରୁ। ମା ଲକ୍ଷ୍ମୀଙ୍କ କୃପାରୁ ଚାଷୀ, ଶ୍ରମିକ, ମହିଳା ଓ ଯୁବପିଢ଼ିଙ୍କ ପାଇଁ ସଫଳତାର ନୂଆ ଦ୍ୱାର ଉନ୍ମୁକ୍ତ ହେଉ।
ଆଜି କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୋୟୋଦଶୀ ତିଥିରେ ଧନତେରାସ ପାଳିତ ହେଉଛି । ଧନତେରାସକୁ ହିନ୍ଦୁ ପରମ୍ପରାରେ ଧନ, ସ୍ୱାସ୍ଥ୍ୟ ଓ ସମୃଦ୍ଧିର ପ୍ରତୀକ ବୋଲି ବିଚାର କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ ନୂଆ ବାସନ, ସୁନା, ଧନିଆ, ଝାଡୁ, ଲକ୍ଷ୍ମୀ-ଗଣେଶଙ୍କ ପ୍ରତିମୂର୍ତ୍ତି କିଣିବା ବେଶ ଶୁଭପ୍ରଦ ବୋଲି କୁହାଯାଏ । ଧନତେରାସରେ ନୂଆ ସାମଗ୍ରୀ କିଣିଲେ ପରିବାରର ମଙ୍ଗଳ ହୁଏ ବୋଲି ଲୋକଙ୍କୁ ଧର୍ମୀୟ ବିଶ୍ୱାସ ରହିଛି । ବିଶେଷ କରି ସୁନା, ରୁପା ଓ ମୂଲ୍ୟବାନ ଧାତୁ କିଣି ଲୋକ ଘରକୁ ଆଣନ୍ତି । ଧନତେରାସରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି, ଲକ୍ଷ୍ମୀଙ୍କ ଆଶୀର୍ବାଦରେ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୁଏ ବୋଲି ଲୋକଙ୍କ ବିଶ୍ୱାସ । ଧନତେରାସ ଭଳି ଶୁଭ ଦିନରେ କେବଳ ସୁନା ନୁହେଁ, ନୂଆଗାଡ଼ି, ଆସବାବପତ୍ର ମଧ୍ଯ ଲୋକମାନେ କିଣାକିଣି କରିଥାନ୍ତି ।