ନୂଆଦିଲ୍ଲୀ: ଅଫିସ ସମୟ ଶେଷ ହେବା ପରେ କିମ୍ବା ଛୁଟିଦିନରେ ବସ୍ଙ୍କ ଫୋନ୍ ରିସିଭ୍ କରିବା କିମ୍ବା ଇ-ମେଲ୍ର ଜବାବ ଦେବା ଉପରେ ଲାଗିବ କି ରୋକ୍। ଲୋକସଭାରେ ଏଭଳି ଏକ ପ୍ରାଇଭେଟ ବିଲ୍ ଆଗତ କରାଯାଇଛି। ରଇଟ୍ ଟୁ ଡିସ୍କନେକ୍ଟ ବିଲ୍ ୨୦୨୫ ନାମକ ଏହି ବିଧେୟକୁ ଏନ୍ସିପି ସାଂସଦ ସୁପ୍ରିୟା ସୁଲେ ଆଗତ କରିଛନ୍ତି। ଏହି ବିଲ୍ରେ କର୍ମଚାରୀଙ୍କ କଲ୍ୟାଣ ପାଇଁ ଏକ ପ୍ରଧିକରଣ ଗଠନ କରିବାକୁ ଦାବି କରାଯାଇଛି । ଏଥିସହ ଅଫିସ ସମୟ ଶେଷ ହେବା ପରେ କିମ୍ବା ଛୁଟିଦିନରେ କର୍ମଚାରୀଙ୍କୁ ବସ୍ଙ୍କ ଫୋନ୍ କିମ୍ବା ଇ-ମେଲର ଜବାବ ଦେବାରୁ ମୁକ୍ତ ରଖିବା ଲାଗି ଅଧିକାର ଦେବାକୁ ପ୍ରସ୍ତାବ ରହିଛି । କର୍ମଚାରୀ କାମ କରୁଥିବା ସଂସ୍ଥା ଏହାର ଉଲ୍ଲଂଘନ କରେ ତେବେ ସମ୍ପୃକ୍ତ କର୍ମଚାରୀଙ୍କ ଦରମାର ୧ ପ୍ରତିଶତ ଜରିମାନା ଲଗାଯିବ ।
ନିଜ ସୋସିଆଲ ମିଡିଆରେ ସୁଲେ ଲେଖିଛନ୍ତି ଯେ ଏହି ବିଲ୍ର ଉଦ୍ଦେଶ୍ୟ କର୍ମଚାରୀଙ୍କ ଲାଗି ଉତ୍ତମ ଜୀବନଧାରଣ ମାନ ଏବଂ ସୁସ୍ଥ କର୍ମମୟ ଜୀବନକୁ ସୁନିଶ୍ଚିତ କରିବା। ଫଳରେ ବର୍ତ୍ତମାନର ଡିଜିଟାଲ ଯୁଗରେ ସୃଷ୍ଟି ହେଉଥିବା ଚାପକୁ କମ୍ କରାଯାଇପାରିବ। ଡିଜିଟାଲ ଓ କମ୍ୟୁନିକେସନ ଟେକ୍ନୋଲୋଜି ଅଧିକାଂଶ କାମକୁ ସହଜ ଓ ସରଳ କରିଥାଏ। କିନ୍ତୁ ଏହା ବ୍ୟକ୍ତିଗତ ଓ ପେସଗତ ଜୀବନରେ ସମସ୍ୟା ମଧ୍ୟ ଆଣିଥାଏ। ସଂସଦରେ ଆଗତ ହେଉଥିବା ଅଧିକାଂଶ ପ୍ରାଇଭେଟ ବିଲ୍ ସରକାରଙ୍କ ଉତ୍ତର ପରେ ରବ୍ଦ ହୋଇଯାଇଥାଏ। ଯେହେତୁ ଏହା କୋଟିକୋଟି କର୍ମଚାରୀଙ୍କ ସ୍ବାର୍ଥ ସହ ଜଡିତ ତେଣୁ ସରକାର ଏ ଦିଗରେ କିଛି ପଦକ୍ଷେପ ନେବାର ଆଶା କରାଯାଉଛି।