ମୁମ୍ବାଇ : ଭାଙ୍ଗିଲା ବହୁ ଚର୍ଚ୍ଚିତ ଯୋଡି ମହିଳା କ୍ରିକେଟର ସ୍ମୃତି ମନ୍ଧାନା ଓ ସଙ୍ଗୀତ ନିର୍ଦ୍ଦେଶକ ପଲାସ ମୁଚ୍ଚଲଙ୍କ ବାହାଘର । ଏନେଇ ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ପଲାଶ ମୁଚ୍ଚଲଙ୍କ ସହ ବିବାହ ସ୍ଥଗିତ ରହିବା ନେଇ ଖୋଦ୍ ସ୍ମୃତି ଏବେ ନିଜର ନୀରବତା ଭାଙ୍ଗିଛନ୍ତି । ସେ ସୋସିଆଲ ମିଡିଆରେ ନିଜର ବିବାହ ବାତିଲକୁ ଗ୍ରହଣ କରି ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ଯେ “ବିବାହ ବାତିଲ ହୋଇଛି”। କ୍ରିକେଟ ପ୍ରତି ନଜର ଦେବେ ବୋଲି ସ୍ମୃତି ମନ୍ଧାନା କହିଛନ୍ତି।
ମନ୍ଧାନା ତାଙ୍କ ପୋଷ୍ଟରେ ଲେଖିଛନ୍ତି, "ଗତ କିଛି ସପ୍ତାହ ଧରି ମୋ ଜୀବନ ବିଷୟରେ ଅନେକ କଳ୍ପନାଜଳ୍ପନା ଚାଲିଛି ଏବଂ ମୁଁ ଭାବୁଛି ଯେ ଏହି ସମୟରେ ମୁଁ କହିବା ଉଚିତ୍ । ମୁଁ ଜଣେ ଅତ୍ୟନ୍ତ ବ୍ୟକ୍ତିଗତ ଲୋକ ଏବଂ ମୁଁ ଏହିପରି ରହିବାକୁ ଚାହେଁ, କିନ୍ତୁ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ବିବାହ ବାତିଲ କରାଯାଇଛି। ମୁଁ ଏହି ବିଷୟକୁ ଏଠାରେ ହିଁ ରଖିବାକୁ ଚାହୁଁଛି । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ସମୟରେ ଉଭୟ ପରିବାରର ଗୋପନୀୟତାକୁ ସମ୍ମାନ ଦିଅନ୍ତୁ ଏବଂ ଆମକୁ ଆଗକୁ ବଢ଼ିବାକୁ ଦିଅନ୍ତୁ। ମୁଁ ଆଶା କରୁଛି ଯେ ମୁଁ ଯେତେଦିନ ପର୍ଯ୍ୟନ୍ତ ଭାରତ ପାଇଁ ଖେଳିବି ଏବଂ ଟ୍ରଫି ଜିତିବି, ଏବଂ ଏହା ସର୍ବଦା ମୋର ସେଥିପ୍ରତି ଧ୍ୟାନ ରହିବ। ଆପଣଙ୍କ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଆଗକୁ ବଢ଼ିବାର ସମୟ ଆସିଛି।"
ପୂର୍ବରୁ ସ୍ମୃତିଙ୍କ ହଳଦୀ-ମେହେନ୍ଦୀ କାର୍ଯ୍ୟକ୍ରମ ଧୁମଧାମରେ ହୋଇଥିଲା । ଏପରିକି କନ୍ୟାପକ୍ଷ ଓ ବରପକ୍ଷ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ବି ଖେଳିଥିଲେ । ଗତ ନଭେମ୍ବର ୨୩ ତାରିଖରେ ବାହାଘର ହେବାର ଥିଲା । ସେହିଦିନ ବାହାଘର ହୋଇପାରିନିଲା । ଏହାପରଠୁ ବାହାଘର ଭାଙ୍ଗିଥିବା ନେଇ ଚର୍ଚ୍ଚା ଲାଗି ରହିଥିଲା । ତେବେ ଏହି ଖବରରେ ଏବେ ପୂର୍ଣ୍ଣଛେଦ ପଡିଛି।
ସୂଚନାଯୋଗ୍ୟ ଯେ ପଲାଶ ମୁଛଲ ଏବଂ ସ୍ମୃତି ମନ୍ଧାନାଙ୍କ ସଙ୍ଗୀତ ଚାଲିଥିବ ସମୟରେ, କ୍ରିକେଟରଙ୍କ ବାପା ଶ୍ରୀନିବାସ ମନ୍ଧାନା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଦମ୍ପତିଙ୍କ ବିବାହ ସ୍ଥଗିତ ରଖାଯାଇଥିଲା।
ପରବର୍ତ୍ତୀ ସମୟରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ପଲାଶଙ୍କର ଜଣେ କୋରିଓଗ୍ରାଫରଙ୍କ ସହ ସମ୍ପର୍କ ଥିଲା, ଯାହା ଫଳରେ ସେମାନଙ୍କ ବିବାହ ସ୍ଥଗିତ ରଖାଯାଇଥିଲା। ତଥାପି ଏହି ଘଟଣାରେ ପଲାଶ କିମ୍ବା ସ୍ମୃତି ଏପର୍ଯ୍ୟନ୍ତ ଏହି ଗୁଜବ ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। କିନ୍ତୁ ବର୍ତ୍ତମାନ ବିବାହ କାହିଁକି କେଉଁ କାରଣରୁ ବାତିଲ୍ ହେଲା ଏନେଇ କେହି ବି ସୂଚନା ଦେଇନାହାନ୍ତି।