ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ କେନ୍ଦ୍ରର ମୋଦୀ ସରକାର ସହରାଞ୍ଚଳରେ ବାସ କରୁଥିବା ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କ ପାଇଁ ଆଉ ଏକ ଭେଟି ଦେଇଛନ୍ତି । ଶୁକ୍ରବାର କେନ୍ଦ୍ର ଆବାସ ଓ ସହରୀ ମାମଲାରେ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ-ସହର ୨.୦ ଅଧିନରେ ଅତରିକ୍ତ ୧ ଲକ୍ଷ ୪୧ ହଜାର ପକ୍କା ଘର ବଣ୍ଟନ ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଟ ଗୃହ ନିର୍ମାଣ ସଂଖ୍ୟା ୧୦ ଲକ୍ଷରେ ପହଁଚଛି । ଏହି ଅତିରିକ୍ତ ଆବାସ ୧୪ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ କରାଯିବ । ସେହି ରାଜ୍ୟଗୁଡ଼ିକ ହେଲା ଆସାମ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଗୁଜରାଟ, ଜମ୍ମୁ-କଶ୍ମୀର, ପଣ୍ଡିଚେରୀ, ରାଜସ୍ଥାନ, ତାମିଲନାଡ଼ୁ, ମଧ୍ୟ ପ୍ରଦେଶ, ମେଘାଳୟ, ହରିୟାଣା, ଓଡ଼ିଶା, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ । ସହରୀ ଲାଭାର୍ଥୀଙ୍କୁ ଏକ ସମ୍ମାନଜନକ ଆବାସ ପ୍ରଦାନ କରିବା, ଗରିବ ଏବଂ ଦୁର୍ବଳ ଶ୍ରେଣୀର ପରିବାରକୁ ଜୀବନଧାରଣ ଶୈଳୀରେ ଉନ୍ନତି ଆଣିବାରେ ଏହା ସହାୟକ ହେବ ।
ଏହି ଯୋଜନା ୨୦୨୪ ସେପ୍ଟେମ୍ବର ୧ ରୁ ଲାଗୁ ହୋଇଛି । ଆଗାମୀ ପାଞ୍ଚ ବର୍ଷରେ ୧ କୋଟି ପରିବାରକୁ ପକ୍କା ଘର ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଅଢ଼େଇ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଯେଉଁମାନେ ଇଡବ୍ଲ୍ୟୁଏସ୍, ଏଲ୍ଆଇଜି କିମ୍ବା ଏମ୍ଆଇଜି ବର୍ଗରେ ଆସୁଥିବେ ଏବଂ ଦେଶରେ କେଉଁଠି ବି ସେମାନଙ୍କ ପାଖରେ ପକ୍କା ଘର ନ ଥିବା ସେମାନଙ୍କୁ ପକ୍କା ଘର ପ୍ରଦାନ କରାଯିବ ।