ଚେନ୍ନାଇ: ତାମିଲନାଡୁର କଲ୍ଲାକୁରିଚୀ ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ମୃତ୍ୟୁ ଘଟଣା ସରକାର, ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କର ଚିନ୍ତା ବଢ଼ାଇଛି। ରାଜ୍ୟରେ ଆଜିଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି। ଏହି ଭଳି ସମୟରେ ବିଷାକ୍ତ ମଦ ପିଇବା ଯୋଗୁଁ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଓ ଶତାଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବାକୁ ନେଇ ଡିଏମ୍କେ ନେତୃତ୍ବରେ ପରିଚାଳିତ ତାମିଲନାଡୁର ସରକାର ଚିନ୍ତାରେ ପଡ଼ିଯାଇଛି। କାରଣ ବିରୋଧୀ ଏଆଇଡିଏମ୍କେର ବିଧାୟକମାନେ ମଦ ମୃତ୍ୟୁ ଘଟଣାକୁ ପ୍ରସଙ୍ଗ କରି ବିଧାନସଭାରେ ହଙ୍ଗାମା କରିପାରନ୍ତି।
ଅନ୍ୟପଟରେ ବିଷାକ୍ତ ମଦ ପିଇବା ଘଟଣାରେ ମୃତକଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଅନ୍ୟ ୧୦୦ରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଲ୍ଲାକୁରିଚୀ ଜିଲ୍ଲାପାଳ ଏମ୍ଏସ୍ ପ୍ରଶାନ୍ତ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ। କଲ୍ଲାକୁରିଚୀର ଜିଲ୍ଲାପାଳ ଏମ୍ଏସ୍ ପ୍ରଶାନ୍ତ ଜିଲ୍ଲା ସରକାରୀ ମେଡିକାଲ କଲେଜରେ ଭର୍ତ୍ତି ଥିବା ଆକ୍ରାନ୍ତଙ୍କୁ ଭେଟିଛନ୍ତି।
ବେଆଇନ୍ ମଦ ବିକ୍ରି ମାମଲାରେ କେ କନ୍ନୁକୁଟ୍ଟୀ (୪୯)କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ପାଖରୁ ୨୦୦ ଲିଟର ବେଆଇନ ମଦ ଜବତ ହୋଇଛି। ତଦନ୍ତ ବେଳେ ଜଣାପଡ଼ିଛି ଯେ, ମଦରେ ପ୍ରଚୁର ପରିମାଣରେ ‘ମେଥନଲ’ ଥିଲା। ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ବିଷାକ୍ତ ମଦ ମୃତ୍ୟୁ ଘଟଣା ସଂପର୍କରେ ଅବଗତ ହେଲା ପରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ବିଷାକ୍ତ ମଦ ବିକ୍ରି ନିୟନ୍ତ୍ରଣରେ ବିଫଳ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଷ୍ଟାଲିନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି, କଲ୍ଲାକୁରିଚୀରେ ଅପମିଶ୍ରିତ ମଦ ପିଇ ଲୋକଙ୍କର ମୃତ୍ୟୁ ହେବା ଖବର ମୋତେ ସ୍ତବ୍ଧ କରିଦେଇଛି। ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରୁଛି। ଏହି ମାମଲାରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏଭଳି ଘଟଣା ନେଇ ଜନତା ଯଦି ସୂଚନା ପ୍ରଦାନ କରିବେ, ତା’ହେଲେ ବେଆଇନ କାମରେ ସଂପୃକ୍ତି ଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
ତାମିଲନାଡୁ ରାଜ୍ୟପାଳ ଆରଏନ୍ ରବି ମଧ୍ୟ ଏହି ଘଟଣା ନେଇ ଶୋକ ପ୍ରକାଶ କରିଛି। ହସ୍ପିଟାଲରେ ଭର୍ତ୍ତି ଆକ୍ରାନ୍ତଙ୍କ ସେ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ରାଜ୍ୟପାଳ କହିଛନ୍ତି, ଭିନ୍ନ ଭିନ୍ନ ସମୟରେ ବିଷାକ୍ତ ମଦ ପିଇବା ନେଇ ଖବର ଆସୁଛି। ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରି କାରଣରୁ ଏହି ଭଳି ଅଘଟଣ ଘଟୁଛି। ଏହା ଗୁରୁତର ବିଷୟ। ଏହି ଘଟଣାର ସିବିସିଆଇଡି ତଦନ୍ତ କରୁଛି।