ନୂଆଦିଲ୍ଲୀ: ସ୍ୱପ୍ନିଲ କୁସାଲେ ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତି ଦେଶର ଗୌରବ ବଢ଼ାଇଛନ୍ତି। ଏହି ବିଜୟ ପରେ ରେଳବାଇ ତାଙ୍କୁ ପଦୋନ୍ନତି ଦେଇଛି ଏବଂ ଏବେ ସେ ଅଫିସର ହୋଇଛନ୍ତି। ମହାରାଷ୍ଟ୍ରର କୋହ୍ଲାପୁର ବାସିନ୍ଦା ସ୍ୱପ୍ନିଲ ୨୦୧୫ରେ କେନ୍ଦ୍ରୀୟ ରେଳବାଇର ପୁଣେ ଡିଭିଜନରେ 'କମର୍ସିଆଲ ଟିକେଟ୍ କ୍ଲାର୍କ' ଭାବରେ ଭାରତୀୟ ରେଳବାଇରେ ଯୋଗ ଦେଇଥିଲେ।
ସେଣ୍ଟ୍ରାଲ ରେଲୱେ ଜିଏମ୍ ରାମ କରଣ ଯାଦବ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଯେ ସ୍ୱପ୍ନିଲ କୁସାଲେଙ୍କୁ ଅଫିସର କରି ଓଏସ୍ଡି ପଦ ଦିଆଯାଇଛି। ପ୍ୟାରିସ୍ ଅଲିମ୍ପିକ୍ସରେ ପୁରୁଷ ୫୦ ମିଟର ୩ ପୋଜିସନ ରାଇଫଲ ଶୁଟିଂରେ ଭାରତୀୟ ଶୁଟର ସ୍ୱପ୍ନିଲ କୁସାଲେ ପ୍ରଥମ ଥର ପାଇଁ କାଂସ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି।
ଏହା ପୂର୍ବରୁ କେନ୍ଦ୍ରୀୟ ରେଳବାଇ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। କାଂସ୍ୟ ପଦକ ଜିତି ଇତିହାସ ରଚିଛନ୍ତି କୁସାଲେ। ଏହି ସଫଳତା କେବଳ ଭାରତର ପଦକ ସଂଖ୍ୟାକୁ ବଢ଼ାଇ ନାହିଁ ବରଂ ସ୍ୱପ୍ନିଲଙ୍କୁ ଭାରତୀୟ ସୁଟିଂ କ୍ରୀଡ଼ାରେ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ଭାବରେ ପ୍ରତିଷ୍ଠିତ କରିଛି। ବର୍ଷ ବର୍ଷର ନିଷ୍ଠା ଓ ପ୍ରଶିକ୍ଷଣ ପରେ ତାଙ୍କର ଏହି ସଫଳତା ମିଳିଛି, ଯାହା ତାଙ୍କୁ ଦେଶର ଆଶାୟୀ ଆଥଲେଟଙ୍କ ପାଇଁ ଆଦର୍ଶ ପାଲଟିଛି। ସ୍ୱପ୍ନିଲ କୁସାଲେଙ୍କ ଏହି ସଫଳତା ପାଇଁ ଭାରତୀୟ ରେଳବାଇ ଅତ୍ୟନ୍ତ ଗର୍ବିତ ଏବଂ ତାଙ୍କୁ ଏହି ଐତିହାସିକ ସଫଳତା ପାଇଁ ଅଭିନନ୍ଦନ ଜଣାଉଛି । ସେମାନଙ୍କର ଉତ୍ସାହ ଏବଂ କଠିନ ପରିଶ୍ରମ ଭାରତୀୟ ରେଳବାଇ ଏବଂ ଦେଶ ପାଇଁ ବହୁତ ସମ୍ମାନ ଆଣିଛି |
ସୂଚନାଯୋଗ୍ୟ, ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଶୁଟର ସ୍ୱପ୍ନିଲ କୁସାଲେଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୁରୁବାର ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି।