ନୂଆଦିଲ୍ଲୀ: ନାବାଳିକ ଯୁବତୀଙ୍କ ସହିତ ଦୁଷ୍କର୍ମ ଉଦ୍ୟମ ସଂପର୍କିତ ଏକ ମାମଲାରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ଅତ୍ୟନ୍ତ ବିବାଦୀୟ ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଜଜଙ୍କ ନିଷ୍ପତ୍ତିକୁ ଅସମ୍ବେଦନଶୀଳ ଦର୍ଶାଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ ନିଜ ଆଡୁ ମାମଲାରେ ହସ୍ତକ୍ଷେପ କରି ଘଟଣାରେ ସଂପୃକ୍ତ ସମସ୍ତ ପକ୍ଷ, ଉତ୍ତର ପ୍ରଦେଶ ସରକାର ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ।
ମାର୍ଚ୍ଚ ୧୭ରେ ଆହ୍ଲାବାଦ ହାଇକୋର୍ଟ ନିଜ ନିଷ୍ପତ୍ତିରେ କହିଥିଲେ ଯେ, ପୀଡିତାଙ୍କ ସ୍ତନ ଧରିବା ଓ ପାଇଜାମାର ଡୋରି ଖୋଲିବାକୁ ଦୁଷ୍କର୍ମ ଉଦ୍ୟମ କୁହାଯାଇ ପାରିବ ନାହିଁ । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଭୂଷଣ ରାମାକୃଷ୍ଣ ଗବଇ ଓ ବିଚାରପତି ଏଜି ମସିହଙ୍କ ଖଣ୍ଡପୀଠ ହାଇକୋର୍ଟଙ୍କ ଏମିତି ଟିପ୍ପଣୀ ଓ ନିଷ୍ପତ୍ତିକୁ ଘୋର ନିନ୍ଦା କରି ଏହାକୁ ଅସମ୍ବେଦନଶୀଳ ବୋଲି କହିଛନ୍ତି । କୋର୍ଟ କହିଛନ୍ତି, ଆମକୁ ଏହା କହିବାରେ ଦୁଃଖ ଲାଗୁଛି ଯେ, ପାରା ନମ୍ବର ୨୧, ୨୪ ଓ ୨୬ରେ ଲେଖା ହୋଇଥିବା ଟିପ୍ପଣୀ ଜଜଙ୍କ ଅସମ୍ବେଦନଶୀଳତାକୁ ଦର୍ଶାଉଛି ।
ସୁପ୍ରିମକୋର୍ଟ କହିଛନ୍ତି, ଏହି ନିଷ୍ପତ୍ତି ତୁରନ୍ତ ନିଆଯାଇ ନାହିଁ ବରଂ ସଂରକ୍ଷିତ ରଖିବାର ୪ ମାସ ପରେ ଶୁଣା ଯାଇଛି । ୱି ଦ ଓମେନ ଅଫ ଇଣ୍ଡିଆ ନାମକ ଏକ ସଂଗଠନ ପକ୍ଷରୁ ଏହି ନିଷ୍ପତ୍ତି ବିରୋଧରେ ଆପତ୍ତି ପ୍ରକାଶ ପାଇଥିଲା । ସଂଗଠନ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଏହା ପରେ ସୁପ୍ରିମକୋର୍ଟ ନିଜ ଆଡୁ ମାମଲାର ହସ୍ତକ୍ଷେପ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି ।
ଉଚ୍ଚ ନ୍ୟାୟାଳୟର ବିଚାରପତି ରାମ ମନୋହର ନାରାୟଣ ମିଶ୍ରଙ୍କ ପୀଠ ଦୁଇ ଅଭିଯୁକ୍ତଙ୍କ ପକ୍ଷରୁ ଦାଖଲ ପୁନର୍ବିଚାର ଯାଚିକାକୁ ଆଂଶିକ ଭାବେ ସ୍ୱୀକାର କରି ଉକ୍ତ ବିବାଦୀୟ ଟିପ୍ପଣୀ କରିଥିଲେ । ନିମ୍ନ ଅଦାଲତ ଏହି ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୭୬(ଦୁଷ୍କର୍ମ ଉଦ୍ୟମ) ସହିତ ଯୌନ ଶୋଷଣ(ପୋକ୍ସୋ)ର ଅଧିନିୟମର ଧାରା ୧୮ ଆଧାରରେ ମୋକଦ୍ଦମା ଚଲାଇବାକୁ ନିର୍ଦ୍ଦେଶ ଦେଇଥିଲେ ।