ନୂଆଦିଲ୍ଲୀ: କର୍ଣ୍ଣାଟକ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜାରି ଦ୍ୱନ୍ଦ୍ୱ ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ସୂତ୍ର ମୁତାବକ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାହୁଲ ଗାନ୍ଧୀଙ୍କ ସହ କଥା କହି ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜାରି କଳ୍ପନାଜଳ୍ପନାର ସ୍ଥାୟୀ ସମାଧାନ କରିବାକୁ ଅନୁରୋଧ କରିଛନ୍ତି । ସିଦ୍ଧରମୈୟାଙ୍କ କହିବା କଥା ନେତୃତ୍ୱକୁ ନେଇ ଜାରି ନିରନ୍ତର ଭ୍ରମ କାରଣରୁ ଶାସନ ଓ କ୍ୟାବିନେଟ୍ ସଂପ୍ରସାରଣ କାର୍ଯ୍ୟରେ ବାଧା ଉପୁଜୁଛି ।
ସୂଚନାଯୋଗ୍ୟ, ମଙ୍ଗଳବାର ମହୀଶୂର ଏୟାରପୋର୍ଟରେ ରାହୁଲ ଗାନ୍ଧୀ ଓ ସିଦ୍ଧରମୈୟାଙ୍କ ମଧ୍ୟରେ ହୋଇଥିବା ସଂକ୍ଷିପ୍ତ ଆଲୋଚନା ପରେ ଏହି ପ୍ରସଙ୍ଗ ଆହୁରି ସରଗରମ ହୋଇଛି । ରାହୁଲ ଗାନ୍ଧୀ ତାମିଲନାଡୁରୁ ଫେରିବା ସମୟରେ ମହୀଶୂରରେ ଅଟକିଥିଲେ । ଏଠାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଉଭୟ ରାହୁଲଙ୍କ ସ୍ୱାଗତ କରିଥିଲେ । ସାର୍ବଜନୀନ ରୂପେ ସିଦ୍ଧରମୈୟା କୌଣସି ବି ରାଜନୈତିକ ଆଲୋଚନା କରିବାକୁ ମନା କରି ଦେଇଛନ୍ତି । କିନ୍ତୁ ଦଳୀୟ ସୂତ୍ର ଅନୁଯାୟୀ, ସେ ରାହୁଲ ଗାନ୍ଧୀଙ୍କୁ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜାରି ଦ୍ୱନ୍ଦ୍ୱ ମାହୋଲକୁ ଶୀଘ୍ର ସମାପ୍ତ କରନ୍ତୁ ।
କର୍ଣ୍ଣାଟକରେ ୨୦୨୩ରେ ସରକାର ଗଠନ ସମୟରେ ସିଦ୍ଧରମୈୟା ଓ ଡିକେ ଶିବକୁମାର ଅଢେଇ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିବା ନେଇ ଡିଲ୍ ହୋଇଥିବା କୁହାଯାଏ । ଆଉ ଏହା ହିଁ ବର୍ତ୍ତମାନ କଂଗ୍ରେସ ସରକାରରେ ସବୁଠୁ ବଡ ବାଧକ ସାଜିଛି । ସରକାରକୁ ୨୦୨୫ ନଭେମ୍ବରରେ ଅଢେଇ ବର୍ଷ ପୂରି ସାରିଛି । ଏହା ପରେ ଶିବକୁମାରଙ୍କ ଗୋଷ୍ଠୀ ସକ୍ରିୟ ହୋଇ ଉଠିଛନ୍ତି । କିନ୍ତୁ ସିଦ୍ଧରମୈୟା ସ୍ପଷ୍ଟ କରି ସାରିଛନ୍ତି ଯେ, ସେ ୫ ବର୍ଷ କାର୍ଯ୍ୟକାଳ ପୂରା କରିବେ ଏବଂ ଏମିତି କୌଣସି ଅଢେଇ ବର୍ଷର ଫର୍ମୁଲା ସ୍ଥିର ହୋଇ ନ ଥିଲା।
ସିଦ୍ଧରମୈୟା ହାଇକମାଣ୍ଡଙ୍କୁ ସଙ୍କେତ ଦେଇଛନ୍ତି ଯେ, ସେ ନିଜ କ୍ୟାବିନେଟର ସଂପ୍ରସାରଣ କରିବାକୁ ଚାହାନ୍ତି । ଖାଲି ପଦରେ ନିଯୁକ୍ତି ଦେବାକୁ ଚାହାନ୍ତି । ମାତ୍ର ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା କାରଣରୁ ଜାରି ଅନିଶ୍ଚିତତା କାରଣରୁ ଏସବୁ କାମ ହୋଇ ପାରୁନି । ପ୍ରଶାସନିକ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଥିବା ସେ କହିଛନ୍ତି ।
Also read: ସାଂସଦ ରବିଶଙ୍କରଙ୍କ ବାସଭବନରେ ଅଗ୍ନିକାଣ୍ଡ