ମୁମ୍ବାଇ: ଶିବସେନା(ୟୁବିଟି) ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର କୋର୍ଟ ତାଙ୍କୁ ୧୫ ଦିନର ଜେଲ୍ ସଜା ଶୁଣାଇଛନ୍ତି । ଏଥିସହ ୨୫ ହଜାର ଟଙ୍କା ଜରିମାନା ଲଗାଇଛନ୍ତି । ବିଜେପି ନେତା କିରିଟ ସୋମୈୟାଙ୍କ ପତ୍ନୀଙ୍କ ପକ୍ଷରୁ ସଞ୍ଜୟ ରାଉତଙ୍କ ବିରୋଧରେ ଏତଲା ଦିଆଯାଇଥିଲା ।
ମେଟ୍ରୋପଲିଟନ ମାଜିଷ୍ଟ୍ରେଟ(ସିବଡି ଅଦାଲତ) ରାଜ୍ୟସଭା ସଦସ୍ୟ ରାଉତଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୫୦୦(ମାନହାନୀ ପାଇଁ ଦଣ୍ଡ) ଆଧାରରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କ ଉପରେ ୨୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି । କିରିଟଙ୍କ ପତ୍ନୀ ମେଧା ସୋମୈୟା ଆବେଦନରେ ଅଭିଯୋଗ କରିଥିଲେ ଯେ, ରାତତ ତାଙ୍କ ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ନିରାଧାର ତଥା ସଂପୂର୍ଣ୍ଣ ମାନହାନୀସୂଚକ ଅଭିଯୋଗ ଲଗାଇଛନ୍ତି । ଏବେ କୋର୍ଟ ରାଉତଙ୍କୁ ୧୫ ଦିନର ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ।
କ'ଣ ଥିଲା ମାମଲା ?
ବିଜେପି ନେତାଙ୍କ ପତ୍ନୀ ମେଧା ସୋମୈୟା ରାଉତଙ୍କ ବିରୋଧରେ କେସ୍ କରିଥିଲେ । ତାଙ୍କ କହିବା କଥା ରାଉତ ତାଙ୍କ ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ମୀରା ଭୟନ୍ଦରରେ ସାର୍ବଜନୀନ ଶୌଚାଳୟ ନିର୍ମାଣରେ ୧୦୦ କୋଟି ଟଙ୍କାର ଦୁର୍ନୀତି ମାମଲାରେ ସଂପୃକ୍ତ ଥିବା ଅପମାନଜନକ ଆରୋପ ଲଗାଇଥିଲେ । ରାଉତ ମିଡିଆକୁ ଏହି ସମ୍ବନ୍ଧର ଆମ ବିରୋଧରେ ଦେଇଥିବା ମନ୍ତବ୍ୟ ଅପମାନଜନକ ଥିଲା । ସାଧାରଣରେ ଆମ ଛବି ଖରାପ ହୋଇଛି ।
ଏହା ସହିତ ମେଧା ଏହି ସଂପର୍କର ପ୍ରକାଶିତ ଖବରକାଗଜର କଟିଂ କୋର୍ଟରେ ଉପସ୍ଥାପନ କରିଥିଲେ । ରାଉତ ଯେଉଁସବୁ ମାନହାନୀସୂଚକ ଟିପ୍ପଣୀ ଆମ ବିରୋଧରେ କରିଥିଲେ ତାହା ସବୁ ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲେ । ଏଥିରେ ଆମର ସମ୍ମାନହାନୀ ଘଟିଛି । ଆଉ ଏହାକୁ ଗମ୍ଭୀରତା ସହ ଗ୍ରହଣ କରି କୋର୍ଟ ଆଜି ରାଉତଙ୍କୁ ଦଣ୍ଡିତ କରିଛନ୍ତି ।