ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସ ପକ୍ଷରୁ ରାଜଧାନୀ ଦିଲ୍ଲୀରେ ବାଣ ବିକ୍ରି ଓ ବାଣ ଫୁଟାଇବା ଉପରେ ରୋକ ଲଗାଇବା ପାଇଁ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । କୋର୍ଟ କହିଛନ୍ତି, ସଂପ୍ରତି ବାଣ ଉପରେ କଟକଣା ଲାଗିଥିଲେ ମଧ୍ୟ ଏହାର ଖୋଲାଖୋଲି ଉଲ୍ଲଂଘନ କରାଯାଉଛି । ଏପରିକି ଦୀପାବଳିର ଅନେକ ଦିନ ପରେ ବି ବାଣ ଫୁଟୁଛି । ସର୍ବୋଚ୍ଚ ନ୍ୟାୟାଳୟ କଡା ଟିପ୍ପଣୀ କରି କହିଛନ୍ତି, କୌଣସି ବି ଧର୍ମ ପ୍ରଦୂଷଣକୁ ପ୍ରୋତ୍ସାହନ ଦିଏ ନାହିଁ ।
ଦିଲ୍ଲୀର ବାର୍ଷିକ ବାୟୁ ଗୁଣବତ୍ତା ସଙ୍କଟ ଉପରେ ଏକ ମାମଲାର ଶୁଣାଣି ସମୟରେ ବିଚାରପତି ଅଭୟ ଏସ ଓକା ଓ ବିଚାରପତି ଅଗଷ୍ଟିନ ଜର୍ଜ ମସିହଙ୍କ ପୀଠ କହିଛନ୍ତି, କୌଣସି ବି ଧର୍ମ ସେହି ଗତିବିଧିକୁ ପ୍ରୋତ୍ସାହନ ଦିଏ ନାହିଁ, ଯାହା ପ୍ରଦୂଷଣକୁ ପ୍ରୋତ୍ସାହନ ଦିଏ । ଯଦି ଏହି ପରି ବାଣ ଫୁଟାଯିବ ତେବେ ଏହା ନାଗରିକଙ୍କ ସ୍ୱାସ୍ଥ୍ୟର ମୌଳିକ ଅଧିକାରକୁ ପ୍ରଭାବିତ କରିବ ।
ଅଦାଲତ ବାଣ ଫୁଟାଇବା ଉପରେ କଟକଣାକୁ ନେଇ ଦିଲ୍ଲୀ ପୋଲିସକୁ ତାଗିଦ କରି କହିଛନ୍ତି ଯେ, ଆପଣ ଯେଉଁ ପଦକ୍ଷେପ ନେଇଛନ୍ତି ତାହା କେବଳ ଲୋକ ଦେଖାଣିଆ । ଆପଣ କେବଳ ବାଣର କଞ୍ଚାମାଲ ଜବତ କଲେ । ଯେଉଁ ଭଳି କାର୍ଯ୍ୟାନୁଷ୍ଠାନ ନିଆଯିବା କଥା ଆପଣ ନେଇ ନାହାନ୍ତି । ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସ କମିଶନରଙ୍କୁ ବାଣଫୁଟା ଉପରେ କଟକଣାକୁ ଠିକ୍ ଭାବେ ଲାଗୁ କରିବା ପାଇଁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।