ନୂଆଦିଲ୍ଲୀ: ଦେଶର ନୂତନ ପ୍ରଧାନ ବିଚାରପତି ସଞ୍ଜୀବ ଖନ୍ନା କାର୍ଯ୍ୟଭାର ସମ୍ଭାଳିବାର ଦ୍ୱିତୀୟ ଦିନରେ ଆକ୍ସନ ମୋଡରେ ଆସିଛନ୍ତି । ସେ ସୁପ୍ରିମକୋର୍ଟରେ ମାମଲାର ତତ୍କାଳ ଶୁଣାଣି ଉପରେ ନୂଆ ବ୍ୟବସ୍ଥା କରିବାକୁ ଆଦେଶ ଦେଇଛନ୍ତି । ସେ କହିଛନ୍ତି, ମାମଲାର ତତ୍କାଳ ସୂଚୀବଦ୍ଧ କରିବା ଓ ଏହା ଉପରେ ଶୁଣାଣି ପାଇଁ ମୌଖିକ ଉଲ୍ଲେଖ କରିବାର ଅନୁମତି ଏବେ ଆଉ ଦିଆଯିବ ନାହିଁ । ସେ ଓକିଲଙ୍କକୁ ଏଥିପାଇଁ ଇ-ମେଲ୍ କିମ୍ବା ଲିଖିତ ପତ୍ର ଦେବାକୁ ଅପିଲ୍ କରିଛନ୍ତି । ସାଧାରଣତଃ ଓକିଲମାନେ ଦିନର କାମ ଆରମ୍ଭରୁ ସିଜେଆଇଙ୍କ ନେତୃତ୍ୱାଧୀନ ପୀଠ ସାମ୍ନାରେ ତତ୍କାଳ ଶୁଣାଣି ପାଇଁ ମୌଖିକ ଭାବେ ଉଲ୍ଲେଖ କରିଥାନ୍ତି ।
ପ୍ରଧାନ ବିଚାରପତି ଏହି ପୁରୁଣା ପରମ୍ପରାକୁ ବଦଳାଇ କହିଛନ୍ତି, ଏବେ ମାମଲାର ଶୁଣାଣି ପାଇଁ କୌଣସି ମୌଖିକ ଉଲ୍ଲେଖ କରାଯିବ ନାହିଁ । କେବଳ ଇ-ମେଲ୍ କିମ୍ବା ଲିଖିତ ପତ୍ର ଜରିଆରେ ତତ୍କାଳ ଶୁଣାଣି ପାଇଁ ଅନୁରୋଧକୁ ସ୍ୱୀକାର କରାଯିବ । ତେବେ ମାମଲାର ତତ୍କାଳ ଶୁଣାଣି କାହିଁକି କରାଯିବ ତାର କାରଣ ଦର୍ଶାଇବାକୁ ପଡିବ ।
ନୂତନ ପ୍ରଧାନ ବିଚାରପତି ଖନ୍ନା ବିଚାର ବିଭାଗର ସୁଧାର ପାଇଁ ନାଗରିକ-କେନ୍ଦ୍ରିତ ଏଜେଣ୍ଡାର ରୂପରେଖା ପ୍ରସ୍ତୁତ କରିଛନ୍ତି । ସେ କହିଛନ୍ତି, ନ୍ୟାୟ ପର୍ଯ୍ୟନ୍ତ ସହଜରେ ପହଞ୍ଚିବାକୁ ସୁନିଶ୍ଚିତ କରିବା ଓ ସାଧାରଣ ନାଗରିକଙ୍କ କାମକୁ ସରଳ କରିବା ନ୍ୟାୟପାଳିକାର ସାମ୍ବିଧାନିକ କର୍ତ୍ତବ୍ୟ । ଏହାକୁ ପ୍ରତ୍ୟେକ ଆଇନଜୀବୀଙ୍କୁ ସୂଚାରୁ ଭାବେ କରିବାକୁ ପଡିବ । ସୂଚନାଯୋଗ୍ୟ, ନଭେମ୍ବର ୧୦ ତାରିଖ ଡିୱାଇ ଚନ୍ଦ୍ରଚୂଡ ପ୍ରଧାନ ବିଚାରପତି ପଦରୁ ଅବସର ଗ୍ରହଣ କରିଥିଲେ । ଏହା ପରେ ନଭେମ୍ବର ୧୧ରେ ଜଷ୍ଟିସ ସଞ୍ଜୀବ ଖନ୍ନା ନୂଆ ପ୍ରଧାନ ବିଚାରପତି ଦାୟିତ୍ୱ ଗ୍ରହଣ କରିଛନ୍ତି ।