ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ରୋଜଗାର ଗ୍ୟାରେଣ୍ଟି ଯୋଜନାକୁ ନେଇ ସୁପ୍ରିମକୋର୍ଟରୁ ଝଟକା ଲାଗିବା ପରେ ନରମିଛନ୍ତି କେନ୍ଦ୍ର ସରକାର । ଏହାର କିଛି ଦିନ ପରେ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ ପଶ୍ଚିମବଙ୍ଗରେ ଏହି ଯୋଜନାକୁ ବିଶେଷ ସର୍ତ୍ତ ସହ ପୁଣି ଥରେ ଆରମ୍ଭ କରିବା ଉପରେ ବିଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ତିନି ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ବନ୍ଦ ପଡିଥିବା ଏହି ଯୋଜନା ପୁନର୍ବାର ଆରମ୍ଭ କରିବାକୁ ଟିଏମସି ନେତୃତ୍ୱାଧୀନ ସରକାର ଲଗାତାର କେନ୍ଦ୍ରକୁ ଗୁହାରି କରୁଥିଲେ । ସଦ୍ୟତମ ତଥ୍ୟ ଅନୁଯାୟୀ, ପଶ୍ଚିମବଙ୍ଗରେ ମନରେଗା ଯୋଜନା ପୁଣି ଥରେ ଆରମ୍ଭ ହେବ ।
ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ମନ୍ତ୍ରଣାଳୟ ଗତ ସପ୍ତାହରେ ପିଏମଓକୁ ସୂଚିତ କରାଇଛି ଯେ, ବିଶେଷ ପରିସ୍ଥିତି ଆଧାରରେ ପଶ୍ଚିମବଙ୍ଗରେ ମନରେଗାକୁ ପୁଣି ଥରେ ଆରମ୍ଭ କରିବା ଉପରେ ବିଚାର କରିପାରେ । ପିଏମଓ ଏହି ପ୍ରସଙ୍ଗରେ ମନ୍ତ୍ରଣାଳୟଠୁ ଏକ ବିସ୍ତୃତ ରିପୋର୍ଟ ମାଗିଥିଲେ ।
ଏହି ମାମଲାରେ ଅକ୍ଟୋବର ୨୭ରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ବିଶେଷ ଅନୁମତି ଯାଚିକା ଖାରଜ ହେବା ପରେ ମନ୍ତ୍ରଣାଳୟରେ ଏସବୁ କାମ ଦେଖିବାକୁ ମିଳିଛି । କେନ୍ଦ୍ର ସରକାର କଲିକତା ହାଇକୋର୍ଟଙ୍କ ଜୁନ ୧୮ର ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏଥିରେ ହାଇକୋର୍ଟ ମନରେଗା ଯୋଜନାକୁ ୨୦୨୫ ଅଗଷ୍ଟ ୧ରୁ ପଶ୍ଚିମବଙ୍ଗରେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟ ଅକ୍ଟୋବର ୨୭ରେ କେନ୍ଦ୍ରର ଏହି ଯାଜିକା ଖାରଜ କରିଥିଲେ ।
କେନ୍ଦ୍ର ସରକାର ୨୦୨୨ ମାର୍ଚ୍ଚ ୯ରୁ ମନରେଗା ଅଧିନିୟମ, ୨୦୦୫ର ଧାରା ୨୭ର ତର୍କ ଦେଇ ପଶ୍ଚିମବଙ୍ଗକୁ ଫଣ୍ଡ ଜାରି କରିବା ବନ୍ଦ କରି ଦେଇଥିଲା । କେନ୍ଦ୍ରୀୟ ନିର୍ଦ୍ଦେଶର ପାଳନ ନ କରିବା କାରଣରୁ ଏମିତି ପଦକ୍ଷେପ ନିଆଯାଇଥିବା କେନ୍ଦ୍ର ସରକାର କହିଥିଲେ । ତେବେଠୁ ରାଜ୍ୟରେ ଏହି ଯୋଜନାରେ କୌଣସି କାର୍ଯ୍ୟ ହୋଇ ନାହିଁ ।
Also read: ଜାକିର ନାଏକଙ୍କୁ ବାଂଲାଦେଶରେ ପ୍ରବେଶ ମନା; ୟୁନୁସ ସରକାର କହିଲେ ପଳାତକଙ୍କୁ ଶରଣ ଦିଆଯିବନି