ନୂଆଦିଲ୍ଲୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଗଙ୍ଗା ସ୍ନାନ ପାଇଁ ଯାତ୍ରା ଆରମ୍ଭ କରିଥିବା ଯାତ୍ରୀଙ୍କର ଅନ୍ତିମ ଯାତ୍ରା ହୋଇଛି । ଉତ୍ତର ପ୍ରଦେଶ ମିର୍ଜାପୁରରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଛି । ଚୁନାର ରେଳ ଷ୍ଟେସନରେ ରେଳ ଧାରଣା ପାର ହେଉଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ି ଯାଇଛି ଟ୍ରେନ୍ । ଫଳରେ ୪ ଜଣ ଶ୍ରଦ୍ଧାଳୁଙ୍କର ଦୁଃଖଦ ମୃତ୍ୟୁ ହୋଇଛି ।
ସୂଚନାନୁସାରେ, ସମସ୍ତ ଶ୍ରଦ୍ଧାଳୁ ଚୋପନ-ପ୍ରୟାଗରାଜ ପାସେଞ୍ଜର ଟ୍ରେନରୁ ୪ ନମ୍ବର ପ୍ଲାଟଫର୍ମରେ ଓହ୍ଲାଇଥିଲେ । ସମସ୍ତ ଶ୍ରଦ୍ଧାଳୁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗଙ୍ଗା ସ୍ନାନ କରିବାକୁ ଯାଉଥିଲେ । ଏହା ପରେ ଜଲଦି ଜଲଦିରେ ରେଳ ଧାରଣା ପାର ହେଉଥିବାବେଳେ ବିପରୀତ ଦିଗରୁ ଆସୁଥିବା କାଲକା ମେଲ୍ ଏକ୍ସପ୍ରେସ୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ରେଳ ଅଧିକାରୀମାନେ ଏବଂ ରେଳବାଇ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ସମସ୍ତଙ୍କ ମୃତ ଦେହକୁ ଜବତ କରାଯାଇଛି । କିଛି ସମୟ ପାଇଁ ଉକ୍ତ ଟ୍ରାକରେ ରେଳ ଚଳାଚଳ ବନ୍ଦ ରହିଥିଲା । କୌଣସି ଯାତ୍ରୀ ରେଳ ଧାରଣାରେ ପାର ନ ହେବାକୁ ରେଳ ଅଧିକାରୀଙ୍କ ପକ୍ଷରୁ ସଚେତନ କରାଯାଇଛି ।