ନୂଆଦିଲ୍ଲୀ: ପୁଣି ଥରେ ଅଶାନ୍ତ ହୋଇ ଉଠିଛି ମଣିପୁର । ଜିରିବାମ ଜିଲ୍ଲାରେ ସୋମବାର ସୁରକ୍ଷାକର୍ମୀ ଓ କୁକି ଉଗ୍ରବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଏଥିରେ ଅନ୍ୟୁନ ୧୧ କୁକି ଉଗ୍ରବାଦୀ ନିହତ ହୋଇଛନ୍ତି । ଉଗ୍ରବାଦୀଙ୍କ ଆକ୍ରମଣରେ ଜଣେ ଯବାନ ଆହତ ହୋଇଥିବା ଜଣା ଯାଇଛି । ଅଞ୍ଚଳରେ ଉତ୍ତେଜନାମୂଳକ ସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ସୂଚନା ଅନୁଯାୟୀ, ପ୍ରଥମେ ଉଗ୍ରବାଦୀ ସିଆରପିଏଫ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଫଳରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଘଟଣାରେ ଜଣେ ଯବାନ ଆହତ ହୋଇଥିବା ବେଳେ ତାଙ୍କୁ ଏୟାରଲିଫ୍ଟ କରାଯାଇ ହସ୍ପିଟାଲ ନିଆଯାଇଛି । ଅନ୍ୟପଟେ ସିଆରପିଏଫ ଯବାନଙ୍କ ଗୁଳିରେ ୧୧ କୁକି ଉଗ୍ରବାଦୀ ନିହତ ହୋଇଛନ୍ତି ।
ଏହା ପୂର୍ବରୁ ସୋମବାର ସକାଳେ ମଣିପୁରର ଇମ୍ଫାଲର ପୂର୍ବ ଜିଲ୍ଲାରେ ଉଗ୍ରବାଦୀଙ୍କୁ ଗୁଳିରେ ଖେତରେ କାମ କରୁଥିବା ଜଣେ ଚାଷୀ ଆହତ ହୋଇଥିଲେ । ଜାତିଗତ ହିଂସାରେ ଜଳୁଥିବା ମଣିପୁରର ଇମ୍ଫାଲ ଘାଟିରେ କୃଷକଙ୍କ ପାହାଡିଆ ଅଞ୍ଚଳ ଉପରେ ଉଗ୍ରବାଦୀ ଲଗାତାର ତୃତୀୟ ଦିନ ଆକ୍ରମଣ କରିଛନ୍ତି । ଫଳରେ ଘାଟିର ବାହ୍ୟ ଅଞ୍ଚଳରେ ଥିବା ଚାଷ ଜମିକୁ ଯିବା ପାଇଁ କୃଷକମାନେ ଭୟଭୀତ କରୁଛନ୍ତି । ଆଉ ବର୍ତ୍ତମାନ ଫସଲ ଅମଳ ସମୟରେ ଫସଲ କଟା ପ୍ରଭାବିତ ହୋଇଛି ।
୨୦୨୩ ମେ ୩ରୁ ମଣିପୁରରେ ଆରମ୍ଭ ହୋଇଥିଲା ଜାତିଗତ ହିଂସା । କୁକି ଏବଂ ମୈତେଇ ମଧ୍ୟରେ ଦେଢ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ହିଂସାରେ ୨୩୭ ଜଣଙ୍କ ମୃତ୍ୟୁ ହୋଇଛି। ୧୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନ୍ୟପଟେ ୬୦ ହଜାରରୁ ଅଧିକ ଲୋକ ନିଜ ଘର ଛାଡ଼ି ସୁରକ୍ଷା ଶିବିରରେ ରରିବାକୁ ବାଧ୍ୟ ହେଉଛନ୍ତି ।