ନୂଆଦିଲ୍ଲୀ: ନେପାଳରେ ଗତ ଦୁଇ ଦିନ ଧରି ଜାରି ଭୀଷଣ ହିଂସା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବକଙ୍କ ମୃତ୍ୟୁ ଉପରେ ଶୋକ ବ୍ୟକ୍ତ କରିଛନ୍ତି । ଏହି ସମୟରେ ପିଏମ ମୋଦୀ କହିଛନ୍ତି ନେପାଳରେ ଶାନ୍ତି ଭାରତ ପାଇଁ ବହୁତ ଜରୁରୀ । ସେ ନେପାଳବାସୀଙ୍କୁ ଶାନ୍ତି ପାଇଁ ଅପିଲ୍ କରିଛନ୍ତି । ସୋମବାର ବିକ୍ଷୋଭ ପ୍ରଦର୍ଶନ ସମୟରେ ପୋଲିସର କାର୍ଯ୍ୟାନୁଷ୍ଠାନରେ ଅତି କମରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି ।
ମଙ୍ଗଳବାର ଏକ୍ସରେ ପିଏମ ମୋଦୀ ଲେଖିଛନ୍ତି, ହିମାଚଳ ପ୍ରଦେଶ ଓ ପଞ୍ଜାବରୁ ଫେରିବା ପରେ ଆଜି ସୁରକ୍ଷା ମାମଲାର କ୍ୟାବିନେଟ କମିଟି ବୈଠକରେ ନେପାଳର ସ୍ଥିତିକୁ ନେଇ ଆଲୋଚନା ହୋଇଛି । ନେପାଳର ହିଂସା ହୃଦୟ ବିଦାରକ । ଏହି ଘଟଣାକୁ ନେଇ ମୁଁ ଦୁଃଖିତ ଯେ ଅନେକ ଯୁବକ ନିଜର ପ୍ରାଣ ହରାଇଛନ୍ତି । ନେପାଳର ସ୍ଥିରତା, ଶାନ୍ତି ଓ ସମୃଦ୍ଧି ଆମ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ମୁଁ ନେପାଳର ସମସ୍ତ ଭାଇ ଓ ଭଉଣୀଙ୍କୁ ବିନମ୍ରତାର ସହ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରୁଛି ।
ନେପାଳରେ ସ୍ଥିତି ବିଗିଡିବା ପରେ ଏବେ ଦେଶର ସେନା ମୋର୍ଚ୍ଚା ସମ୍ଭାଳିଛନ୍ତି । ନେପାଳର ସେନା ମଙ୍ଗଳବାର ରାତି ୧୦ଟାରେ ସୁରକ୍ଷାର ଦାୟିତ୍ୱ ସମ୍ଭାଳିଛନ୍ତି । ସେନା କହିଛି କିଛି ଗୋଷ୍ଠୀ ପରିସ୍ଥିତିର ଫାଇଦା ଉଠାଉଛନ୍ତି ଏବଂ ସାଧାରଣ ନାଗରିକ ଓ ସାର୍ବଜନୀନ ସଂପତ୍ତି ବହୁ ମାତ୍ରାରେ ନଷ୍ଟ କରୁଛନ୍ତି । ସେନା ଚେତାବନୀ ଦେଇଛି ଯେ, ଯଦି ଏମିତି ଗତିବିଧି ଜାରି ରହେ ତେବେ ନେପାଳର ସେନା ସହିତ ସମସ୍ତ ସୁରକ୍ଷା ଏଜେନ୍ସି ହିଂସା ରୋକିବା ପାଇଁ ଏକଜୁଟ ହୋଇଯିବେ । ନେପାଳି ସେନା ଜନତାଙ୍କ ସହଯୋଗ ପାଇଁ ଅପିଲ୍ କରିଛନ୍ତି । ଏହା ସହ ନାଗରିକଙ୍କୁ ଏମିତି ଗତିବିଧିରେ ସାମିଲ ନ ହେବାକୁ ଅନୁରୋଧ କରିଛନ୍ତି ।
ଏହା ପୂର୍ବରୁ କାଠାମାଣ୍ଡୁ ଏବଂ ଦେଶର ଅନେକ ଅଞ୍ଚଳରେ ୨୭ ଘଣ୍ଟା ପର୍ଯ୍ୟନ୍ତ ହିଂସାତ୍ମକ ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ ବି ପ୍ରଦର୍ଶନକାରୀଙ୍କ ଉପରେ କୌଣସି ଖାସ୍ ପ୍ରଭାବ ପଡିନାହିଁ । ମଙ୍ଗଳବାର ମଧ୍ୟ ନେପାଳର ଅନେକ ଭାଗରେ ହିଂସା ଜାରି ରହିଛି । ବିକ୍ଷୋଭକାରୀ ସଂସଦ, ରାଷ୍ଟ୍ରପତି ଭାବନ, ପ୍ରଧାନମନ୍ତ୍ରୀ ବାସଭବନ, ସୁପ୍ରିମକୋର୍ଟ, ରାଜନୈତିକ ଦଳଗୁଡିକର କାର୍ଯ୍ୟାଳୟ ଏବଂ ବରିଷ୍ଠ ନେତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ।