ନୂଆଦିଲ୍ଲୀ: ୨୦୦୮ ମାଲେଗାଓଁ ବିସ୍ଫୋରଣରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବା ପୂର୍ବତନ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ସମେତ ୭ ଜଣ ପୁଣି ଅଡ଼ୁଆରେ ପଡ଼ିଛନ୍ତି । ପୀଡ଼ିତମାନେ ଏନ୍ଆଇଏ କୋର୍ଟଙ୍କ ରାୟକୁ ବମ୍ବେ ହାଇକୋର୍ଟର ଚ୍ୟାଲେଞ୍ଜ କରିଛନ୍ତି ।
ଗତ ଜୁଲାଇ ୩୧ ତାରିଖରେ କୋର୍ଟ ସମସ୍ତ ୭ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଅଭିଯୁକ୍ତଙ୍କ ବିରୋଧରେ କୌଣସି 'ବିଶ୍ୱସନୀୟ ଏବଂ ଠୋସ୍ ପ୍ରମାଣ' ନ ଥିବାରୁ କୋର୍ଟ ସାଧବୀ ପ୍ରଜ୍ଞାଙ୍କ ସମେତ ୭ ଜଣଙ୍କୁ ଦୋଷ ମୁକ୍ତ କରିଥିଲେ । ମାତ୍ର ନିସାର ଅହମ୍ମଦ ସୟଦ ବିଲାଲ ଏବଂ ଅନ୍ୟ ପାଞ୍ଚ ଜଣଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି । ଆବେଦନକାରୀଙ୍କ ମତରେ ୩୧ ଜୁଲାଇରେ ଜାରି ହୋଇଥିବା ଏନଆଇଏ କୋର୍ଟର ନିର୍ଦ୍ଦେଶ ଭୁଲ ଅଟେ । ଏହାକୁ ବାତିଲ କରାଯିବା ଉଚିତ ।
୨୯ ସେପ୍ଟେମ୍ବର ୨୦୦୮ରେ ମହାରାଷ୍ଟ୍ରର ନାସିକ ଜିଲ୍ଲାର ମାଲେଗାଓଁରେ ହୋଇଥିବା ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୦୧ ଜଣ ଆହତ ହୋଇଥିଲେ । ୧୭ ବର୍ଷ ଧରି ବିଚାର ପରେ ୧୯ ଏପ୍ରିଲରେ ସମସ୍ତ ସାତ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ୮ ମେ ରାୟ ପାଇଁ ତାରିଖ ସଂରକ୍ଷିତ ରଖାଯାଇଥିଲା। କିନ୍ତୁ ତା’ପରେ ୩୧ ଜୁଲାଇକୁ ରାୟ ପାଇଁ ତାରିଖ ସ୍ଥିର ହୋଇଥିଲା । ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର, ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତ (ଅବସରପ୍ରାପ୍ତ), ମେଜର ରମେଶ ଉପାଧ୍ୟାୟ (ଅବସରପ୍ରାପ୍ତ), ସମୀର କୁଲକର୍ଣ୍ଣି, ଅଜୟ ରାହିରକର, ସୁଧାକର ଧର ଦ୍ୱିବେଦୀ ଓରଫ ଦୟାନନ୍ଦ ପାଣ୍ଡେ ଏବଂ ସୁଧାକର ଚତୁର୍ବେଦୀଙ୍କୁ ଅଦାଲତ ନିର୍ଦ୍ଦୋଷ ଘୋଷଣା କରିଥିଲେ ।