ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ବିଜୟ ନିଶ୍ଚିତ । ତେବେ ନିର୍ବାଚନର ଠିକ୍ ପୂର୍ବରୁ ୱାଇଏସଆରସିପିର ଜଗନ ମୋହନ ରେଡ୍ଡୀ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ର ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି । ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ ଜଗନମୋହନ ରେଡ୍ଡୀଙ୍କୁ ଭେଟିଥିଲେ । ଏହି ସାକ୍ଷାତ ପରେ ହିଁ ଏହି ନିଷ୍ପତ୍ତି ନେଇଛନ୍ତି ଜଗନମୋହନ । ତାଙ୍କର ଏହି ନିଷ୍ପତ୍ତି ଫଳରେ ଏନଡିଏର ସିଧାସଳଖ ୧୧ ଭୋଟ୍ ବୃଦ୍ଧି ପାଇଛି । ୱାଇଏସଆର କଂଗ୍ରେସ ପାଖରେ ଲୋକସଭାରେ ୪ ଏବଂ ରାଜ୍ୟସଭାରେ ସାତ ସାଂସଦ ଅଛନ୍ତି ।
କଂଗ୍ରେସ ନେତା ମଣିକମ ଟାଗୋର ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ଆନ୍ଧ୍ର ପ୍ରଦେଶର ଜନତା ଜଗନମୋହନଙ୍କ ଏହି ବିଶ୍ୱାସଘାତକୁ ଭୁଲି ପାରିବେ ନାହିଁ । ସେ ଦକ୍ଷିଣ ରାଜ୍ୟର ହିତ ପରିବର୍ତ୍ତେ ସିବିଆଇ ତଦନ୍ତ ଭୟରେ ଆରଏସଏସର ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି । ଇତିହାସ ଜଗନମୋହନଙ୍କ ଏହି ବିଶ୍ୱାସଘାତକୁ ଭୁଲି ପାରିବ ନାହିଁ । ଉପରାଷ୍ଟ୍ରପତି ପଦ ପାଇଁ ଆରଏସଏସ ସମର୍ଥିତ ପ୍ରାର୍ଥୀଙ୍କ ସମର୍ଥନ କରି ସେ ଆନ୍ଧ୍ର ପ୍ରଦେଶର ହିତ ପରିବର୍ତ୍ତେ ସିବିଆଇ ମାମଲାକୁ ଚୟନ କଲେ ।
ଟାଗୋର କହିଛନ୍ତି, ଏହି ରଣନୀତିର କଥା ନୁହେଁ । ଗଣତାନ୍ତ୍ରିକ ଶକ୍ତି ସହିତ ଛିଡା ହେବା ପରିବର୍ତ୍ତେ ମୋଦୀ ବାବୁଙ୍କ ଚାପ ଆଗରେ ଆତ୍ମ ସମର୍ପଣ କରି ଦେଲେ । ସେ ଏକ ପୋଷ୍ଟରେ ସମସ୍ତ ସାଂସଦଙ୍କୁ ଅପିଲ୍ କରିଛନ୍ତି ଯେ, ସେମାନେ ସମ୍ବିଧାନର ସମର୍ଥନ କରୁଥିବା ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତୁ ନା ଆରଏସଏସ ପ୍ରାର୍ଥୀଙ୍କୁ ।
ଉପରାଷ୍ଟ୍ରପତି ନିର୍ବାଚନ ପାଇ ରାଜ୍ୟସଭାର ୨୩୩ ନିର୍ବାଚିତ ସସଦ୍ୟ ଏବଂ ୧୨ ମନୋନୀତ ସଦସ୍ୟ ଏବଂ ଲୋକସଭାର ୫୪୩ ନିର୍ବାଚିତ ସଦସ୍ୟ ସାମିଲ । ନିର୍ବାଚନରେ ସଂଖ୍ୟା ଗଣିତରେ ଆଗରେ ରହିଛି ଏନଡିଏ। ସଂସଦର ଉଚ୍ଚସଦନ ରାଜ୍ୟସଭା ଏବଂ ନିମ୍ନସଦନ ଲୋକସଭାର ସଦସ୍ୟ ହିଁ ଏଥିରେ ଭୋଟ୍ ଦେଇ ପାରିବେ। ନମ୍ବର ଗେମ ହିସାବରେ ଭୋଟ୍ ଦେଇପାରିବେ ୭୮୮ ସାଂସଦ। ୭ ସାଂସଦ ପଦ ଖାଲି ପଡ଼ିଥିବାରୁ ୭୮୧ ସାଂସଦ ଭୋଟ୍ ଦେଇପାରିବେ।